June 26, 2025 7:11 pm

ସୁଦର୍ଶନଙ୍କ ବାଲୁକା କଳାରେ ପୁରୀ ପରିକ୍ରମା ପ୍ରକଳ୍ପ

ପୁରୀ:  ଜାନୁଆରୀ ୧୭ ଅର୍ଥାତ ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେବାକୁଥିବା ବେଳେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଜଜମାନ ଭାବେ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ । ଏଣୁ ଏହି ଦିନଟି ଏକ ଐତିହାସିକ ଦିନ । ଏହି ଅବସରରେ ପରିଚାଳନା କମିଟି ସଦସ୍ୟ ତଥା ବିଶିଷ୍ଠ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକଳା । ଏଥିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର କଳାକୃତି ସହିତ ପରିକ୍ରମା ମାର୍ଗର ନିଖୁଣ ପ୍ରତିକୃତି ନିର୍ମାଣ କରିଛନ୍ତି ।

ବାଲିରେ ପ୍ରସ୍ତୁତ ଏହି ପରିକ୍ରମା ମାର୍ଗରେ ବିଭିନ୍ନ ମଠ ଓ ମନ୍ଦିରର କୃତି ପ୍ରଦର୍ଶିତ କରିଛନ୍ତି । କେବଳ ସେତିକି ନୁହେଁ ଶ୍ରୀମନ୍ଦିରର ଆକର୍ଷଣୀୟ କଳାକୃତି ସହ ଅରୁଣସ୍ତମ୍ବର ନିଖୁଣ ପ୍ରତିକୃତି  ଗଢିଛନ୍ତି ସୁଦର୍ଶନ । ତେବେ ଶ୍ରୀମନ୍ଦିର ନିର୍ମାଣ ହେବା ଆମେ ଦେଖିନାହୁଁ ମାତ୍ର ଏହା ଆମପାଇଁ ଏକ ଐତିହାସିକ ମୁହୁର୍ତ୍ତ । ଏହି ଐତିହାସିକ ମୁହୂର୍ତ୍ତକୁ ସମସ୍ତେ ଅପେକ୍ଷା କରିଛନ୍ତି । ପୂର୍ବରୁ ଭକ୍ତମାନେ ଅନେକ ଅସୁବିଧା ଭୋଗ କରୁଥିଲେ । ଏହି ପ୍ରୋଜେକ୍ଟ ହେବା ଦ୍ୱାରା ଆମେ ସମସ୍ତେ ଉପକୃତ ହୋଇପାରିବା । ସାରା ବିଶ୍ୱ ବି ଏଭଳି  କାର୍ଯ୍ୟକ୍ରମକୁ ଚାହିଁ ବହିଛନ୍ତି । ପରିକ୍ରମା ପ୍ରକଳ୍ପରେ ଶିଳ୍ପୀଙ୍କ ହାତରେ ଅନେକ କିଛି ଗଢାଯାଇଛି । ଏଣୁ ବାଲିରେ ବାଲୁକାଶିଳ୍ପୀ ଭାବେ ଏହି କଳାକୃତିଟି ଗଢିବାକୁ ଚେଷ୍ଟା କରିଛି ବୋଲି କହିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ।