June 26, 2025 2:22 pm

ଅଧ୍ୟାପନାରୁ ମହା ଠକ, ଷଷ୍ଠ ଥର ପାଇଁ  ଜେଲ ଗଲା 

ଭୁବନେଶ୍ଵର: ଅଧିକ ଅର୍ଥ ଉପାର୍ଜନ ଲୋଭରେ ମହଠକ ପାଲଟିଗଲା ମନୋବିଜ୍ଞାନ ବିଭାଗର ଅଧ୍ୟାପକ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିବା ଏହି ଲୋକ ଜଣକ। କେତେବେଳେ ନିଜକୁ ଭିଜିଲାନ୍‌ସ ଏସ୍‌ପି ବୋଲି ପରିଚୟ ଦେଲା ତ ପୁଣି କେତେବେଳେ ଅବକାରୀ ବିଭାଗର କମିସନର ବୋଲି ପରିଚୟ ଦେଲା। କାହାକୁ ଭିଜିଲାନ୍‌ସ ଚଢ଼ଉର ଭୟ ଦେଖାଇଲା ତ କାହାକୁ ଠିକା କାମ ଦେବ ବୋଲି କହି ଭୁତାଇଲା।

ସେହିଭଳି କାହାକୁ ମଦ ଦୋକାନର ଲାଇସେନ୍‌ସ କରାଇଦେବ ବୋଲି କହି ଟଙ୍କା ଖସାଇଲା। କଥା ଚାତୁରିରେ ବିଭିନ୍ନ ପଦସ୍ଥ ପଦାଧିକାରୀ, ବଡ଼ବଡ଼ ଠିକାଦାର ଓ ବ୍ୟବସାୟୀମାନଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ଝଡ଼ାଇଲା। ପୁଲିସ ହାତରେ ଧରାପଡ଼ି ବନ୍ଧା ହେଲା। ପାଞ୍ଚ ପାଞ୍ଚ ଥର ଜେଲ୍‌ ଗଲା। ଥରକୁ ଥର ଜାମିନରେ ଆସି ପୁଣି ଠକିଲା। ଏଥର ସେ ସାଇବର ଥାନା ପୁଲିସ ହାତରେ ଧରାପଡ଼ିଛି। ଏହି ମହାଧୂର୍ତ୍ତ ହେଲା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ମନୋଜ ମାଝୀ। ଜଣେ ଠିକାଦାରଙ୍କଠାରୁ ୭ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଗିରଫ ହୋଇଛି। ତା’ଠାରୁ ୨ ଲକ୍ଷ ୬୦ ହଜାର ଟଙ୍କା, ୬ଟି ଏଟିଏମ୍‌ କାର୍ଡ ଓ ୨ଟି ସିମ୍‌ ଜବତ କରାଯାଇଛି।

ରାୟଗଡ଼ାର ଠିକାଦାର ମନୋଜ ଚୌଧୁରୀଙ୍କ ଅଭିଯୋଗ ଅନୁସାରେ ଗତବର୍ଷ ମେ ମାସରେ ଏକ ଅଜଣା ନମ୍ବରରୁ ତାଙ୍କୁ କଲ୍‌ ଆସିଥିଲା। ଟ୍ରୁ କଲର୍‌ରେ ନମ୍ବରଟି ଭିଜିଲାନ୍‌ସ ଏସ୍‌ପି ପ୍ରକାଶଙ୍କର ବୋଲି ଦର୍ଶାଇଥିଲା। ଭିଜିଲାନ୍‌ସ ଏସ୍‌ପିଙ୍କ ଫୋନ୍‌ କଲ୍‌ ବୋଲି ତରବର ହୋଇ ସେ ଫୋନ୍‌ ଉଠାଇଥିଲେ। ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କଠାରୁ ତାଙ୍କ ନମ୍ବର ପାଇଛି ବୋଲି ଠକ ମନୋଜ କହିଥିଲା। ଭିଜିଲାନ୍‌ସ ବିଭାଗରେ ଆଗକୁ ଦୁଇ ତିନିଟି ବଡ଼କାମ କରିବାକୁ ଆଗ୍ରହୀ କି ବୋଲି ପଚାରିଥିଲା। ଠିକାଦାର ମନୋଜ ସହଜରେ ବିଶ୍ବାସ କରିଥିଲେ।

୫କୋଟି ଟଙ୍କାର ଏକ ସରକାରୀ କୋଠା ନିର୍ମାଣ କାମ ଦେବାକୁ କହିଥିଲା ଠକ ମନୋଜ। ଏଥିପାଇଁ ସିକ୍ୟୁରିଟି ବାବଦରେ ୭ ଲକ୍ଷ ୬୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା। ଠିକାଦାର ମନୋଜ ଟଙ୍କା ଦେଇଥିଲେ। ଟଙ୍କ‌ା ପାଇବା ପରେ ଠକ ମନୋଜ ଆଉ ଫୋନ୍‌ ଉଠାଇନଥିଲା ଏବଂ କିଛି ଦିନ ପରେ ଫୋନ୍‌ ନମ୍ବର ବ୍ଲକ୍‌ ହୋଇଯାଇଥିଲା। ଠକେଇର ଶିକାର ହେବା ଜାଣିବା ପରେ ଠିକାଦାର ମନୋଜ ସାଇବର ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରାତିରେ ପୁଲିସର ଏକ ଟିମ୍‌ କୃଷ୍ଣପ୍ରସାଦ ଅଞ୍ଚଳରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ପୁଲିସ ସୂଚନାନୁସରାରେ ମୟୂରଭଂଜ ଉଦାଳସ୍ଥିତ ଏକ କଲେଜର ମନୋବିଜ୍ଞାନ ବିଭାଗରେ ମନୋଜ ଅଧ୍ୟାପକ ଥି‌ଲା। କିନ୍ତୁ କିଛି ପରେ ସେ ଅଧ୍ୟାପନା ଛାଡ଼ିଦେଇଥିଲା। ତା’ ନାମରେ ପୂର୍ବରୁ ଗଞ୍ଜାମ, ରମ୍ଭା, କୃଷ୍ଣପ୍ରସାଦ, ଇଓଡବ୍ଲ୍ୟୁ ଓ ଉଦଳା ଥାନାରେ ଠକେଇ ମାମଲା ରହିଛି ଏବଂ ଏସବୁ ମାମଲାରେ ପୁଲିସ ତାକୁ ଗିରଫ କରିଥିଲା। ଜାମିନରେ ଆସି ସେ ପୁଣି ପୁରୁଣା ଢାଞ୍ଚାରେ ଲୋକଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା।