ଅନୁଗୁଳ : ରବିବାର ଦିନ ମାଆ ହିଙ୍ଗୁଳାଙ୍କ ମନ୍ଦିରରେ ସଫେଇ କାର୍ଯ୍ୟକ୍ରମରେ ପତ୍ନୀଙ୍କ ସହ ଶ୍ରମଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ଆଠମଲ୍ଲିକରେ ଜଂଘା ବଳଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ। ପୁନଶ୍ଚ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଛେଣ୍ଡିପଦା ସ୍କୁଲ ପ୍ଲାଟିନମ୍ ଜୁବଲି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହ ଯୋଗଦେଇଥିଲେ । ସ୍କୁଲ ଶିକ୍ଷାରେ କଳା ଓ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦେବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଛେଣ୍ଡିପଦା ସରକାରୀ ହାଇସ୍କୁଲ ସ୍ଥାନୀୟ ଅଞ୍ଚଳରେ ଏକ ସମ୍ମାନସ୍ପଦ ଅନୁଷ୍ଠାନ । ଛେଣ୍ଡିପଦା ସରକାରୀ ହାଇସ୍କୁଲ ଦୀର୍ଘ ୭୫ ବର୍ଷ ଯାତ୍ରାରେ ପଦାର୍ପଣ ହେବା କେବଳ ଅନୁଗୋଳ ନୁହେଁ ବରଂ ସମଗ୍ର ରାଜ୍ୟର ଶିକ୍ଷା ଜଗତ ପାଇଁ ଏକ ବଡ ଉପଲବ୍ଧି । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ୧୯୪୮ ମସିହାରେ ପ୍ରତିଷ୍ଠିତ ଏହି ହାଇସ୍କୁଲ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଏକ ବଟ୍ଟବୃକ୍ଷର ରୂପ ନେଇଛି । ଛେଣ୍ଡିପଦା ହାଇସ୍କୁଲ୍ ପାଠପଢାକୁ କେବଳ ପୁସ୍ତକରେ ସୀମିତ ନରଖି କଳା ଓ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି ।

ଏହା ପରେ ଆଠମଲ୍ଲିକ ଆମ୍ବସରମୁଣ୍ଡାରେ ଜଂଘା ବଳଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ଦାରୁ ବିଗ୍ରହ ସ୍ଥାପନ ଉତ୍ସବରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୋଟିଏପଟେ 500 ବର୍ଷର ପ୍ରତୀକ୍ଷା ଶେଷ ହେବାକୁ ଯାଉଛି, ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଅନ୍ୟପଟେ ଆମ୍ବସରମୁଣ୍ଡାରେ ଭବ୍ୟ ପ୍ରତିମା ପ୍ରତିଷ୍ଠା କରାଗଲା । ସବୁଠି ଉତ୍ସବର ମାହୋଲ୍, ଏଠାରେ ଯୋଗଦେଇ ନିଜକୁ ସୌଭାଗ୍ୟ ମନେ କରି ଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ଏହି ଉତ୍ସବରେ ସାମିଲ୍ ହୋଇ ଖୁସି ପ୍ରକଟ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସକାଳେ ଜନ୍ମସ୍ଥାନ ତାଳଚେରରେ ମାଆ ହିଙ୍ଗୁଳାଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢ଼ା ସଫେଇ କରି ସ୍ବଚ୍ଛତା ଅଭିଯାନରେ ଶ୍ରମଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେବାଳୟ, ତୀର୍ଥକ୍ଷେତ୍ର, ଆଧ୍ୟାତ୍ମିକ ସ୍ଥାନ ସଫେଇ କରିବାକୁ ସେ ପରାମର୍ଶ ଦେଇଛନ୍ତି ।









