June 26, 2025 7:27 pm

ଓଡ଼ିଶାରେ ଏଥର ବିଜେପି ସରକାର: ହିମନ୍ତ ବିଶ୍ଵଶର୍ମା

ଭୁବନେଶ୍ୱର: ଓଡ଼ିଶାରେ ଏଥର ବିଜେପି ସରକାର ଗଠନକରିବା ନେଇ ଦୃଢ଼ ଆଶାପୋଷଣ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଶର୍ମା ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଯୁକ୍ତି ରଖିବା ସହ ବିଜେପି ସରକାରର ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଓଡ଼ିଶା ଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଶ୍ରୀ ଶର୍ମା କହିଛନ୍ତି, ଓଡ଼ିଶାରେ ବିଜୁ ଜନତା ଦଳ ଲୋକଙ୍କ ମନରେ ଏକ ଧାରଣା ସୃଷ୍ଟି କରିଛି । ମାତ୍ର ବାସ୍ତବ ସ୍ଥିତି ହେଉଛି ଯେ ବିଜେପି ପ୍ରତି ରାଜ୍ୟବାସୀଙ୍କର ସମର୍ଥନ ରହିଛି । ୨୦୧୯ରେ ବିଜେପିକୁ ଲୋକସଭାରେ ୩୮% ଏବଂ ବିଧାନସଭାରେ ୩୨% ଭୋଟ ମିଳିଥିଲା । ଲୋକସଭାରେ ବିଜେପିର ଭୋଟ ବ୍ୟବଧାନ ଥିଲା ୪% । ମୋଦୀ ସରକାରଙ୍କ ୫ ବର୍ଷର କାମ ଯୋଗୁଁ ସେହି ୪% ଭୋଟ ଆସିସାରିଲାଣି । ଓଡ଼ିଶାରେ ଯଦି ନବୀନ ବ୍ରାଣ୍ଡ ଅଛି, ଗତଥର ବିଜେପିକୁ ୩୮% ଭୋଟ କେମିତି ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ୧ କୋଟି ଲୋକ ଜଣଙ୍କୁ ବ୍ରାଣ୍ଡ ମାନୁନାହାନ୍ତି, ତାହେଲେ ଆଉ ୩୦ରୁ ୫୦ ଲକ୍ଷ ଭୋଟ ଆସିବାକୁ କେତେ ସମୟ ଲାଗିବ ବୋଲି ପଚାରିଛନ୍ତି । ଏବେ ସମୟରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ପାଇଁ ବହୁତ କାର୍ଯ୍ୟ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିଲେ ବିଜେପି ଏଥର ନିଶ୍ଚିତ କ୍ଷମତାକୁ ଆସିବ ।

ଏପଟେ ବିଜେଡ଼ି ଦଳର ନେତାମାନେ ଏହାକୁ ଦିବାସ୍ୱପ୍ନ ବୋଲି କହିଛନ୍ତି। ଗତ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଥିଲେ ମାତ୍ର  ତାହା କଣ ହେଲା ବୋଲି  ରାଜ୍ୟବାସୀ ଜାଣିଛନ୍ତି।