ଦକ୍ଷିଣ ମୁମ୍ବାଇରୁ ନବୀ ମୁମ୍ବାଇ ମାତ୍ର ୧୫ ମିନିଟର ସମୟ
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ଦେଶର ଦୀର୍ଘତମ ସମୁଦ୍ର ପୋଲ ‘ଅଟଳ ସେତୁ’ର ଉଦ୍ଘାଟନ କରିଛନ୍ତି। ଏହି ପୋଲର ଲମ୍ବ ୨୧.୮ କିଲୋମିଟର। ଏହା ଦକ୍ଷିଣ ମୁମ୍ବାଇକୁ ନବୀ ମୁମ୍ବାଇ ସହ ସଂଯୋଗ କରୁଛି। ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦକ୍ଷିଣ ମୁମ୍ବାଇରୁ ନବୀ ମୁମ୍ବାଇ ମାତ୍ର ୧୫ ମିନିଟରେ ପହଞ୍ଚି ହେବ। ଆଗରୁ ସିଧାସଳଖ କୌଣସି ରାସ୍ତା ନଥିବାରୁ ୨ ଘଣ୍ଟାର ଲମ୍ବା ସମୟ ଲାଗୁଥିଲା।
ଅଟଳ ସେତୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଏହି ଦୀର୍ଘତମ ସମୁଦ୍ର ସେତୁ ବିକଶିତ ଭାରତର ଏକ ଝଲକ। ଭବିଷ୍ୟତର ଭାରତ ପାଇଁ ଯେଉଁ ଭିତ୍ତିଭୂମି ପ୍ରସ୍ତୁତ ହେବ ତାହା ଦୂରତାକୁ ହ୍ରାସ କରିବା ସହ ଦେଶର ପ୍ରତ୍ୟେକ ଅଂଚଳକୁ ଯୋଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେୱରି-ୱର୍ଲି ଏଲିଭେଟେଡ୍ କରିଡର, ଇଷ୍ଟର୍ଣ୍ଣ ଫ୍ରିୱେ-ମେରିନ୍ ଡ୍ରାଇଭ୍ ଟନେଲ୍, ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ୱେ ସହିତ ପ୍ରସ୍ତାବିତ ଚିର୍ଲେ-ପାଲାସ୍ପେ ସଂଯୋଗ ଏବଂ ନବୀ ମୁମ୍ବାଇର ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ପୂର୍ଣ୍ଣ ହେବା ପରେ ଏହି ସେତୁର ପ୍ରକୃତ ଲାଭ ମିଳିପାରିବ।
ଏହି ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୧୮ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଅଟଳ ସେତୁ ବା ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମ୍ଟିଏଚ୍ଏଲ୍) ଗମନାଗମନ କ୍ଷେତ୍ରରେ ଜୀବନ ରେଖା ପାଲଟିଯିବ।\ଏମ୍ଟିଏଚ୍ଏଲ ଉପରେ ଏକତରଫା ଟୋଲ୍ ୨୫୦ ଟଙ୍କା ଏବଂ ରାଉଣ୍ଡ ଟ୍ରିପ୍ ଟୋଲ୍ ପ୍ରଥମ ବର୍ଷ ପାଇଁ ୩୭୫ ଟଙ୍କା ରହିଛି। ନବୀ ମୁମ୍ବାଇ କୋଷ୍ଟାଲ ରୋଡ୍ ସମ୍ପୂର୍ଣ୍ଣ ହେବା ପରେ ଏମ୍ଟିଏଚ୍ଏଲ ମଧ୍ୟ ଏହି ଅଞ୍ଚଳର ଦ୍ବିତୀୟ ବିମାନବନ୍ଦର ନବୀ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଏକ ଛୋଟ ମାର୍ଗ ପ୍ରଦାନ କରିବ। ଏମ୍ଟିଏଚ୍ଏଲ୍ରେ ୧୫ ପ୍ରତିଶତ ଟ୍ରାଫିକ୍ ପ୍ରସ୍ତାବିତ ସେଓ୍ୱରି-ୱର୍ଲି କରିଡର ଦେଇ ଯିବ ବୋଲି ଆକଳନ କରାଯାଇଛି।
ପୂର୍ବ ଓ ପଶ୍ଚିମ ଉପକୂଳ ମଧ୍ୟରେ ଦୂରତା ବର୍ତ୍ତମାନର ୪୦ରୁ ୬୦ ମିନିଟ୍ ପରିବର୍ତ୍ତେ ୧୦ ମିନିଟ୍ରେ ସମ୍ପୂର୍ଣ୍ଣ ହୋଇପାରିବ ବୋଲି ଏମ୍ଏମ୍ଆର୍ଡିଏର ଜଣେ ଅଧିକାରୀ କହିଛନ୍ତି। ସେଓ୍ୱରି-ୱର୍ଲି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ବାନ୍ଦ୍ରା ଉପନଗରରୁ ଜଣେ ଗାଡ଼ି ଚାଳକ ୪୦ ମିନିଟ୍ରୁ କମ୍ ସମୟ ମଧ୍ୟରେ ନବୀ ମୁମ୍ବାଇରେ ପହଞ୍ଚିପାରିବେ। ଅଟଳ ସେତୁ ସମୁଦ୍ର ଉପରେ ୧୬. କିମି ରହିଥିବା ବେଳେ ମାଟି ଉପରେ ୫.୫ କିମି ରହିଛି। ମୁମ୍ବାଇରୁ ପୁଣେ, ଗୋଆ ଏବଂ ଦକ୍ଷିଣ ଭାରତ ଯାତ୍ରାର ସମୟକୁ ଏହି ପୋଲ୍ ହ୍ରାସ କରିବ। ଆଜି ସେତୁ ଉଦ୍ଘାଟନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ଏବଂ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏବଂ ଅଜିତ ପ୍ରାୱାର ପ୍ରମୁଖ ଉପସ୍ଥିତ ଥିଲେ।