ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ରହିଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାର ୪ ଟି ଜିଲ୍ଲାରେ ୪ ଦିନ ବୁଲିବେ ରାହୁଲ ଗାନ୍ଧୀ । ଫେବ୍ରୁଆରୀ ୧୪ ରେ ତାଙ୍କର ଯାତ୍ରା ଓଡିଶାରେ ପ୍ରବେଶ କରିବାକୁ ଥିବାବେଳେ ୪ ଦିନ ଧରି ଶ୍ରୀ ଗାନ୍ଧୀ ସମୁଦାୟ ୩୪୧ କିମି ଅତିକ୍ରମ କରିବେ । ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ବିସ୍ତୃତ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପଞ୍ଚାନନ କାନୁନଗୋ । ଭାରତ ଯୋଡ଼ ନ୍ୟାୟ ଯାତ୍ରାର ପୁସ୍ତିକା ଓ ପ୍ରଚାରପତ୍ରକୁ ସେ ଉନ୍ମୋଚନ କରିଥିଲେ ।
ଓଡ଼ିଶାରେ ଆସନ୍ତା ଫେବ୍ରୁଆରୀ ୧୪ ତାରିଖରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଝାଡଖଣ୍ଡ ଅତିକ୍ରମ କରି ଓଡ଼ିଶାର ମୟୁରଭଞ୍ଜରେ ପଂହଚିବ । ଏହି ଯାତ୍ରା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ତତ୍ୱାବଧାନରେ ୪ ଦିନ ଧରି ଓଡ଼ିଶାର ୪ଟି ଜିଲ୍ଲା ଯଥା : ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ୩୪୧ କି.ମି. ଅତିକ୍ରମ କରିବ । ଏହି ନ୍ୟାୟ ଯାତ୍ରାରେ ଯେକୌଣସି ଜଣେ ବ୍ୟକ୍ତି ୯୮୯୧୮୦୨୦୨୪ ନମ୍ବରରେ ମିସ୍ କଲ କରି ନିଜକୁ ଜଣେ ନ୍ୟାୟ ଯୋଦ୍ଧା ହିସାବରେ ଯୋଗଦାନ କରିପାରିବେ । ଯେଉଁ ଅଂଚଳ ଦେଇ ଏହି ଯାତ୍ରା ଅତିକ୍ରମ କରିବ ସେ ସବୁ ଅଂଚଳର ଜନସାଧାରଣ ଏହି ଯାତ୍ରାରେ ନିଜକୁ ସାମିଲ କରିପାରିବେ । ଏଥିପାଇଁ କୌଣସି ଅସୁବିଧା ନାହିଁ ବୋଲି ଶ୍ରୀ କାନୁନଗୋ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ପିସିସି ମିଡିଆ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି କହିଥିଲେ ଯେ ଦେଶର ବଂଚିତ ବର୍ଗଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ରାହୁଲଗାନ୍ଧୀଙ୍କର ଏହି ଭାରତ ଯୋଡ଼ ନ୍ୟାୟ ଅଭିପ୍ରେତ ।
ସୂଚନାଥାଉକି, ଭାରତ ଯୋଡ଼ ନ୍ୟାୟ ଯାତ୍ରା ୧୫ ଟି ରାଜ୍ୟର ୧୧୦ ଟି ଜିଲ୍ଲା ଦେଇ ୬୭୧୩ କି.ମି. ୬୬ ଦିନରେ ଅତିକ୍ରମ କରିବ । ଏହି ଯାତ୍ରାରେ ଭାରତ ବର୍ଷର ବୁଦ୍ଧିଜୀବି, ସମାଜସେବୀ, କଳାକାର ଏବଂ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ବ୍ୟକ୍ତିବିଶେଷ ଯୋଗଦାନ କରିପାରିବେ । ଜନସାଧାରଣଙ୍କର ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ନ୍ୟାୟର ସୁରକ୍ଷା ପାଇଁ ରାହୁଲ ଗାନ୍ଧୀଙ୍କର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ ରାଉତରାୟ, ବିଧାୟକ ଦାସରଥି ଗମାଙ୍ଗ, ଏଆଇସିସି ସମ୍ପାଦକ ଶରତ ରାଉତ, ପୁର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, ମୁଖପାତ୍ର ରଜନୀ ମହାନ୍ତି ଓ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଅମୀୟ ପାଣ୍ଡବ ପ୍ରମୁଖ ଉପସ୍ଥିତ ଥିଲେ।
Post Views: 107