December 13, 2025 7:23 pm

ମୋଦୀ  ଦେଶର ଇତିହାସରେ ସବୁଠୁ ସଫଳ ପ୍ରଧାନମନ୍ତ୍ରୀ : ମୁକେଶଅମ୍ବାନୀ

ଗାନ୍ଧୀନଗର: ଦେଶର ଇତିହାସରେ ନରେନ୍ଦ୍ର ମୋଦୀ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ଓ  ବର୍ତମାନ ସର୍ବଶ୍ରେଷ୍ଠ ବିଶ୍ଵନେତା ବୋଲି କହିଛନ୍ତି ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଗାନ୍ଧୀନଗରରେ ଆୟୋଜିତ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶିଷ୍ଟ ଶିଳ୍ପପତି ତଥା ମୁକେଶ ଅମ୍ବାନୀ କହିଛନ୍ତି, ‘ମୁଁ ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ସହରରୁ ଆଧୁନିକ ଭାରତର ବିକାଶର ଗେଟ୍‌ ୱେ (ପ୍ରବେଶ ଦ୍ୱାର) ଗୁଜରାଟକୁ ଆସିଛି। ମୁଁ ଜଣେ ଗର୍ବିତ ଗୁଜରାଟୀ। ଯେତେବେଳେ ବିଦେଶୀମାନେ ନୂଆ ଭାରତ ବିଷୟରେ ଚିନ୍ତା କରନ୍ତି, ସେମାନେ ଏକ ନୂତନ ଗୁଜରାଟ ବିଷୟରେ ଚିନ୍ତା କରନ୍ତି। ଏହି ପରିବର୍ତ୍ତନ କିପରି ଘଟିଲା? କାରଣ ଜଣେ ନେତା, ଯିଏ କି ଆମ ସମୟର ସର୍ବଶ୍ରେଷ୍ଠ ବିଶ୍ୱ ନେତା ଭାବରେ ଉଭା ହୋଇଛନ୍ତି- ପ୍ରଧାନମନ୍ତ୍ରୀ ମୋଦୀ, ଭାରତର ଇତିହାସରେ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ’।

୨୦୪୭ ସୁଦ୍ଧା କେବଳ ଗୁଜରାଟ ୩ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। କୌଣସି ଶକ୍ତି ଭାରତକୁ ୨୦୪୭ ସୁଦ୍ଧା ୩୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବାରୁ ଅଟକାଇ ପାରିବ ନାହିଁ ବୋଲି କହିଛନ୍ତି ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ।

ମୁକେଶ ଅମ୍ବାନୀ କହିଛନ୍ତି, ‘ରିଲାଏନ୍‌ସ ଏକ ଗୁଜରାଟୀ କମ୍ପାନି ଥିଲା, ଅଛି ଏବଂ ସବୁବେଳେ ପାଇଁ ରହିବ। ରିଲାଏନ୍‌ସ ଗତ ୧୦ ବର୍ଷ ମଧ୍ୟରେ ସମଗ୍ର ଭାରତରେ ବିଶ୍ୱସ୍ତରୀୟ ସମ୍ପତ୍ତି ଏବଂ କ୍ଷମତା ସୃଷ୍ଟି କରିବା ପାଇଁ ୧୫୦ ବିଲିୟନ ଡଲାର ଅର୍ଥାତ୍‌ ୧୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିଛି, ଏଥିମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ କେବଳ ଗୁଜରାଟରେ ନିବେଶ କରାଯାଇଛି’ ବୋଲି ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଅମ୍ବାନୀ କହିଛନ୍ତି।