April 13, 2026 3:23 pm

ଯୋଗୀଙ୍କ ବଡ ଘୋଷଣା: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଉତ୍ତରପ୍ରଦେଶରେ ବିକ୍ରି ହେବନି ମଦ

ଲକ୍ଷ୍ନୌ: ଦେଶରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ୟୁପି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଦିନ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏହା ସହ ମଦ ବିକ୍ରି ହେବ ନାହିଁ। ସରକାରୀ ଭବନ ସଜାଇବା ସହ ଆତସବାଜିର ବ୍ୟବସ୍ଥା ମଧ୍ୟ କରିବାକୁ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ଦେଶବ୍ୟାପୀ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଉଥିବା  ବେଳେ ଲୋକମାନେ ଅଯୋଧ୍ୟାରେ ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି।ଜାନୁଆରି ୨୨ରେ, ଅନେକ ବଡ଼ ବଡ଼ ଅତିଥିମାନେ ଅଯୋଧ୍ୟାକୁ ଆସିବେ। ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟା ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ହୋଟେଲରେ ଅତିଥିମାନଙ୍କ ରହିବା ପାଇଁ ବ୍ୟବସ୍ଥା କରିବାରେ ବ୍ୟସ୍ତ ଅଛନ୍ତି। ଅନ୍ୟପକ୍ଷରେ ଅଯୋଧ୍ୟା ନିକଟରେ ଥିବା ଲକ୍ଷ୍ନୌର ହୋଟେଲ ଅପରେଟରମାନେ ମଧ୍ୟ ଅତିଥିମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ଲକ୍ଷ୍ନୌର ସମସ୍ତ ହୋଟେଲକୁ ଜାନୁଆରି ୨୦ରୁ ଜାନୁଆରି ୨୩ ମଧ୍ୟରେ ଖାଲି ଥିବା ରୁମର ତାଲିକା ମାଗିଛି। ଯାହାଦ୍ୱାରା ଲକ୍ଷ୍ନୌରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଅତିଥିମାନଙ୍କ ରହିବାର ବ୍ୟବସ୍ଥା କରାଯାଇପାରିବ।