June 26, 2025 7:01 pm

ଗୋପାଳପୁରକୁ ଓଡ଼ିଏଫ୍ ପ୍ଲସ୍  ମାନ୍ୟତା

ଶାନ୍ତନୁ କୁମାର ରଣା 

ଗୋପାଳପୁର: ଗତ ବର୍ଷ କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିରପେକ୍ଷ ସର୍ବେକ୍ଷଣ ଦଳ ଗୋପାଳପୁର ଏନ୍‌ଏସିରେ ପରିମଳ ଓ ସ୍ୱଚ୍ଛତା ଉପରେ ସର୍ଭେ କରି ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦାଖଲ କରିଥିଲେ । ଏହାର ରିପୋର୍ଟ ଫଳାଫଳ ପ୍ରକାଶ ପାଇଛି । ଏଥିରେ ବାହ୍ୟ ମଳତ୍ୟାଗ ବର୍ଜନ କ୍ଷେତ୍ରରେ ଗୋପାଳପୁର ଏନ୍‌ଏସିକୁ ଓପନ ଡ଼ିଫକେସନ୍ ଫ୍ରି ପ୍ଲସ୍ ପ୍ଲସ ମାନ୍ୟତା ମିଳିଛି । ଏନ୍‌ଏସି ପକ୍ଷରୁ ଲୋକଙ୍କୁ ବାହ୍ୟମଳ ତ୍ୟାଗ ନ କରି ନିଜ ନିଜ ପାଇଖାନା ବ୍ୟବହାର କରୁଥିବା ବାବଦରେ ସଚେତନ କରାଯାଉଛି । 

ସେହିପରି ବିକ୍ରମପୁର ଠାରେ ଏଫ୍‌ଏସ୍‌ଟିପି ରେ ସେପ୍ଟିକ୍ ଟାଙ୍କିର ଆବର୍ଜନାକୁ ନେଇ ଖତ ପ୍ରସ୍ତୁତି କରାଯାଉଛି । ଗାର୍ବେଜ୍ ଫ୍ରି ସିଟି ଗୋପାଳପୁରଠାରେ ଥିବା ୱେଲ୍‌ଥ ସେଣ୍ଟରରେ ସ୍ୱଚ୍ଛ ସାଥୀଙ୍କ ଦ୍ୱାରା ସହରର ପ୍ରତ୍ୟେକ ଘରେ ରହିଥିବା ଡ଼ଷ୍ଟବିନ୍ ଜରିଆରେ ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା ସଂଗ୍ରହ କରି ଖତ ପ୍ରସ୍ତୁତ କରାଯାଉଛି । ସ୍ୱଚ୍ଛତା ସର୍ବେକ୍ଷଣ ବେଳେ ଅଳିଆ ଆବର୍ଜନାମୁକ୍ତ ସହର ଭାବେ ଗୋଟିଏ ତାରକା ମାନ୍ୟତା ପାଇଥିବା ସୂଚନା ଦେଇଛନ୍ତି ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ । ଏହି ମାନ୍ୟତା ପାଇଥିବା ହେତୁ ଗୋପାଳପୁର ବାସିନ୍ଦା ଏବଂ ର୍କଚାରୀଙ୍କୁ ସେ ସାଧୁବାଦ ଜଣାଇଛନ୍ତି । ଆଗାମୀ ଦିନରେ ଏହାକୁ ଜାରି ରଖିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ସେ । ଆସନ୍ତା ୧୧ ତାରିଖରେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ ସକାଶେ ସେ ନୂଆଦିଲ୍ଲୀ ଯାତ୍ରା କରିବେ ବୋଲି ଜଣାଯାଇଛି ।