June 26, 2025 6:45 pm

ଫେବୃଆରୀରୁ ଇ-ବସ ଗଢ଼ିବ,ହଳଦିଆପଦର ବସ୍‌ଷ୍ଟାଣ୍ଡ୍‌ରେ ଚାର୍ଜିଙ୍ଗ ଷ୍ଟେସନ

ଶାନ୍ତନୁ କୁମାର ରଣା 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସହରାଞ୍ଚଳରେ ଗମନାଗମନ ସୁବିଧା ପାଇଁ ସରକାର ୧୧୦ଟି ବସ୍ ଯୋଗାଇବେ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ୫୦ଟି ଓ ରାଜ୍ୟ ସରକାର ୬୦ଟି ମୋ-ବସ୍ ଯୋଗାଇବେ । ସମସ୍ତ ବସ୍ କ୍ୟାପିଟାଲ୍ ରେଜିଓନାଲ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ପରିଚାଳନା କରିବ । ୨୦୨୩ ନଭେମ୍ବର ୨୯ତାରିଖରେ କ୍ରୁଟ୍‌ର ବୋର୍ଡ଼ ମିଟିଂରେ ଏହି ନିଷ୍ପତ୍ତି ହୋଇଛି । ଜାନୁଆରୀ ଶେଷ କିମ୍ବା ଫେବୃଆରୀରୁ ଏହି ସମସ୍ତ ବସ୍ ଚଳାଇବା ପାଇଁ ଯୋଜନା ରହିଥିବା କହିଛନ୍ତି ବିଡ଼ିଏ ସଚିବ ସମ୍ବିତ ରାଉତ । ସମସ୍ତ ବସ୍ ହଳଦିଆପଦର ବସ୍‌ଷ୍ଟାଣ୍ଡରୁ ଚଳାଚଳ କରିବ । ଏଥିପାଇଁ ହଳଦିଆପଦର ବସ୍‌ଷ୍ଟାଣ୍ଡର  ଭିତ୍ତିଭୂମି ବିକାଶ କରାଯିବ । 

ଏଠାରେ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମି ବିକଶ କରିବାକୁ ଯୋଜନା ହୋଇଥିବା ବେଳେ ବସ୍‌ଷ୍ଟାଣ୍ଡ୍‌ରେ ଚାର୍ଜିଂ ଷ୍ଟେସନ୍ ନିର୍ମାଣ କରାଯିବ । ଏହା ସହ ଗୋପାଳପୁର ବସ୍‌ଷ୍ଟାଣ୍ଡ୍‌ର ଭିତ୍ତିଭୂମି ବିକାଶ କରିବାକୁ ଯୋଜନା ହୋଇଛି । ଇ-ବସ୍ ଓ ମୋ ବସ୍ ଆସିବା ପରେ ହଳଦିଆପଦର ବସ୍‌ଷ୍ଟାଣ୍ଡ୍ କ୍ରୁଟ୍‌ୁ ହସ୍ତାନ୍ତର ହେବ । ଦୀର୍ଘବର୍ଷ ପରେ ୧୨କୋଟିର ବସ୍‌ଷ୍ଟାଣ୍ଡ୍ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଆଶା କରାଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କନିଷି ତହସିଲ କୋଠା ଭାଙ୍ଗିବା ପରେ ଏବେ ହଳଦିଆପଦର ବସ୍‌ଷ୍ଟାଣ୍ଡ୍‌ରେ କାର୍ଯ୍ୟାଳୟ ଚାଲୁଛି । ଏଠାରେ ବସ୍ ଚଳାଚଳ ଆରମ୍ଭ ହେବା ପରେ ପୁଣି କନିଷି ତହସିଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ହେବ । 

ବ୍ରହ୍ମପୁର ସହରକୁ ଗମନାଗମନ ଯୋଡ଼ିବା ପାଇଁ ଛତ୍ରପୁର, ଗୋପାଳପୁର, ହିଞ୍ଜିଳି, ଶେରଗଡ଼ ଓ ପୁରୁଷୋତ୍ତମପୁରକୁ ୨୦୧୪ ଫେବୃଆରୀ ୧୪ରୁ ସିଟି ବସ୍ ଗଡ଼ିଥିଲା । ରାଜ୍ୟ ସରକାର ୪୨ଟି ବସ୍ ଯୋଗାଇଥିବା ବେଳେ ପ୍ରଥମେ ଗଞ୍ଜାମ ଅର୍ବାନ୍ ଟ୍ରାନ୍ସପୋର୍ଟ ସର୍ଭିସ୍ ଲିମିଟେଡ୍ ଓ ଓଏସ୍‌ଆର୍‌ଟିସି ମିଳିତ ଭାବେ ଚଳାଇଥିଲେ । ଏଥିରେ ଗଟ୍‌ସଲ୍‌କୁ କ୍ଷତି ସହିବାକୁ ପଡ଼ିଥିଲା । ଫଳରେ ଗଟ୍‌ସଲ୍ ସମସ୍ତ ବସ୍‌କୁ ଘରୋଇ ସଂସ୍ଥାକୁ ଲିଜ୍‌ରେ ଦେଇଥିଲା । ୪୨ଟି ବସ୍‌ରୁ ଏବେ ଅଧିକାଂଶ ଅଫ୍ ରୁଟ୍ ରହିଥିବା ବେଳେ ୧୭ଟି ବସ୍ ବିଭିନ୍ନ ଦିଗରେ ଚଳାଚଳ କରୁଛି । ନୂଆ ବସ୍ ଆସିବା ପରେ କ୍ରୁଟ୍ ପରିଚାଳନା କରିବ । ଗଟ୍‌ସଲ୍ ବନ୍ଦ ହୋଇଯିବ ବୋଲି ବିଡ଼ିଏ ସଚିବ ସମ୍ବିତ ରାଉତ କହିଛନ୍ତି ।
ସିଟି ବସ୍ ସହ ସହରରେ ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ହଳଦିଆପଦରରେ ୧୨କୋଟି ଟଙ୍କା ବିନିମୟରେ ୫ଏକର ପରିମିତ ଜାଗାରେ ସିଟି ବସ୍‌ଷ୍ଟାଣ୍ଡ୍ କରାଯାଇଥିଲା । ୨୦୧୬ରୁ ଏହାର କାର୍ଯ୍ୟ ସରିଥିଲା । ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ୍ ଏଠାକୁ ସ୍ଥାନାନ୍ତର କରିବାକୁ ବସ୍ ମାଲିକ ସଂଘ ବିରୋଧ କରିଥିଲେ । ତେବେ ବିଭିନ୍ନ ସମସ୍ୟା କାରଣରୁ ସିଟି ବସ୍‌ଷ୍ଟାଣ୍ଡ୍ ସ୍ଥାନାନ୍ତର ହୋଇପାରୁନଥିଲା । ଇ-ବସ୍ ଓ ମୋ-ବସ୍ ଚଳାଚଳ ହେବା ପରେ ଏହି ବସ୍‌ଷ୍ଟାଣ୍ଡ୍ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ବ୍ରହ୍ମପୁରରୁ ଛତ୍ରପୁର, ଗୋପାଳପୁର, ଧବଳେଶ୍ୱର, ହିଞ୍ଜିଳି, ଶେରଗଡ଼, ପୁରୁଷୋତ୍ତମପର, ତାରାତାରିଣୀକୁ ବସ୍ ଚଳାଚଳ ହେଉଛି । ନୂଆବସ୍ ଆସିବା ପରେ ଚିକିଟୀ, ଗଞ୍ଜାମ ଓ  ଦିଗପହଣ୍ଡିକୁ ରୁଟ୍ ନିର୍ଦ୍ଧାରଣ କରିବାକୁ ଯୋଜନା ରହିଛି ।