December 6, 2025 4:46 pm

ଓଲିଉଡ ପୁରସ୍କାର ମହୋତ୍ସବ-୨୦୨୪ ଦୁବାଇରେ 

ଭୁବନେଶ୍ୱର: ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବଯ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ ଚଳଚ୍ଚିତ୍ର ସମାରୋହ ଆୟୋଜିତ ହେବାକୁ ଯାଉଛି। ଫାଇଭ ଷ୍ଟାର ଫିଲ୍ମ ଆୱାର୍ଡସ୍ ୨୦୨୪ ଦୁବାଇ ଭାବରେ ନାମିତ ଏହି ରଙ୍ଗାରଙ୍ଗ ଉତ୍ସବରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉଚ୍ଚକୋଟୀର ଚଳଚ୍ଚିତ୍ରର ଭବ୍ୟ ଓ ଦିବ୍ୟ ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଜଣାଯାଇଛି।

ଦୁବାଇର ଓଉଦ ମେଠାସ୍ଥିତ ଶେଖ୍ ରସିଦ ପ୍ରେକ୍ଷାଳୟ ଠାରେ ଆସନ୍ତା ଜାନୁଆରି ୧୩ ତାରିଖ ସନ୍ଧ୍ୟା ୫ଟାଠାରୁ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ଵସ୍ତରୀୟ ସାଂସ୍କୃତିକ ଆସରରେ ସଂଯୁକ୍ତ ଆରବ ଏମିରେଟସର ମାନ୍ୟଗଣ୍ୟ ଓଡ଼ିଆ,୧୫୦୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ପ୍ରେମୀ ଜନସାଧାରଣ ଏବଂ ଓଡ଼ିଆ ଚ୍ଚିତ୍ରତାରକାମାନଙ୍କର ଅସଂଖ୍ୟ ପ୍ରଶଂସକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଲିଉଡର ଏହି ମହାକୁମ୍ଭ ମେଳାରେ ଭାଗ ନେବା ପାଇଁ ଭୁବନେଶ୍ବରରୁ ପ୍ରାୟ ୧୦୫ଜଣ ଚଳଚ୍ଚିତ୍ର, ନୃତ୍ୟ ଓ ସଙ୍ଗୀତ ଜଗତର ପ୍ରତିଷ୍ଠିତ କଳାକାରମାନେ ଦୁବାଇ ଅଭିମୁଖେ ବିମାନଯୋଗେ ଯାତ୍ରା କରିବେ ବୋଲି ସୂଚନା ମିଳିଛି।ଏହାମଧ୍ୟରେ ଓଡ଼ିଆ ଚ୍ଚିତ୍ର ଦୁନିଆର ମହାରାଜା ଓ ମହାରାଣୀମାନେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ଐତିହାସିକ ଚଳଚ୍ଚିତ୍ର ପର୍ବକୁ କେନ୍ଦ୍ର କରି ଭୁବନେଶ୍ୱର ଠାରୁ ଦୁବାଇ ପର୍ଯ୍ୟନ୍ତ ଆବାଳ ବୃଦ୍ଧବନିତାଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ, ଅଦମ୍ୟ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ପ୍ରକାଶ ପାଇଥିବା ପ୍ରତୀୟମାନ ହେଉଛି।