ଭୁବନେଶ୍ଵର: ଆସନ୍ତାକାଲି, ଜାନୁଆରି ୮ ତାରିଖ ଠାରୁ ସମ୍ବଲପୁର ଜିଲ୍ଲାରେ ଥିବା ପ୍ରସିଦ୍ଧ ନଦୀବନ୍ଧ ‘ହରାକୁଦ ଜଳଭଣ୍ଡାର’ରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ। ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ୩୨ଟିମ୍ ନିୟୋଜିତ ହୋଇ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣିବେ। ଏଥିରେ ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ହେବେ ସାମିଲ।
ସୂଚନାଯୋଗ୍ୟ ଚଳିତ ବର୍ଷ ଓଡ଼ିଶାର ବୃହତ୍ ଜଳରାଶିରେ ବିଦେଶୀ ପକ୍ଷୀମାନଙ୍କର ଆଗମନ ପୂର୍ବ ବର୍ଷ ତୁଳନାରେ ଅଧିକ ଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗନରସ୍ଥିତ ଭିତରକନିକା ଜାତୀୟଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବନବିଭାଗ ପକ୍ଷରୁ ଶୁନିବାର ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି । ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୩୯ ହଜାର ୯୫୯ଟି ପକ୍ଷୀ ଆସିଥିବା ବେଳେ ଏ ବର୍ଷ ୧ ଲକ୍ଷ ୫୧ ହଜାର ୪୨୧ ଆସିଛନ୍ତି। ଅର୍ଥାତ ଗତବର୍ଷଠାରୁ ଏ ବର୍ଷ ଭିତରକନିକାକୁ ୧୨,୪୬୨ ଅଧିକ ପକ୍ଷୀ ଆସିଥିବା ଜଣାପଡିଛି। ଗତ ୧୬ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଗତବର୍ଷ ଭିତରକନିକାକୁ ୧୪୦ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏ ବର୍ଷ ୧୨୧ ଲାର୍ଜ ହୁଇସିଲିଂ ଡକ୍ ପ୍ରଜାତିର ପକ୍ଷୀ ସବୁଠୁ ଅଧିକ ୨୮୦୯୦ ଆସିଛନ୍ତି। ଚଳିତବର୍ଷ ଭିତରକନିକାରେ ବିରଳ କମନସେଲ ଡକ୍ ପକ୍ଷୀଙ୍କୁ ଦେଖିବାକୁ ମିଳିଛି ।
ଏସିଆର ସର୍ବବୃହତ ଲବଣାକ୍ତ ହ୍ରଦ ଚିଲିକାରେ ଗୁରୁବାର ସନ୍ଧ୍ୟାରେ ୨୦୨୩-୨୪ ବର୍ଷପାଇଁ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଥିଲା। ଖୋର୍ଦ୍ଧା, ପୁରୀ ଓ ଗଂଜାମ ଜିଲ୍ଲାର ୫ଟି ରେଞ୍ଜ (ବାଲୁଗାଁ, ଚିଲିକା, ଟାଙ୍ଗି, ସାତପଡ଼ା ଓ ରମ୍ଭା)କୁ ନେଇ ସମଗ୍ର ଚିଲିକା ଗଠିତ ହୋଇଥିବା ବେଳେ ପକ୍ଷୀ ଗଣନା ଅନୁଯାୟୀ ଚଳିତବର୍ଷ ୧୮୭ ପ୍ରଜାତିର୧୧ଲକ୍ଷ ୩୭ହଜାର ୭୫୯ପକ୍ଷୀ ଦେଖାଦେଇଛି। ଚଳିତ ବର୍ଷ ଚିଲିକାରେ ପକ୍ଷୀମାନଙ୍କର ସମାଗମ ଅଧିକ ହୋଇଛି। ସୁଦୂର ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ରୁଷ, କାଜାକସ୍ଥାନ, ଇରାନ ଆଦି ବରଫବୃତ ଅଞ୍ଚଳରୁ ହଜାରହଜାର କିଲୋମିଟର ଉଡି ଆସି ଅକ୍ଟୋବର ତୃତୀୟ ସପ୍ତାହରୁ ଫେବ୍ରୁଆରି ଶେଷ ସପ୍ତାହ ପର୍ଯ୍ୟନ୍ତ ଚିଲିକାକୁ ନିଜ ବାସସ୍ଥାନ ରୂପେ ବାଛି ନିଅନ୍ତି। ଚିଲିକାରେ ପ୍ରଚୁର ପରିମାଣର ଗୁଳ୍ମ ଜାତୀୟ ଖାଦ୍ୟ, କୃମି ଓ ଛୋଟଛୋଟ କୀଟ ସହିତ ଛୋଟ ମାଛ ଖାଇବାକୁ ଭଲ ପାଆନ୍ତି। ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲାମିଙ୍ଗୋ ଚଳିତ ବର୍ଷ ୮୨୦ ସଂଖ୍ୟାରେ ଦେଖା ଦେଇଛନ୍ତି । ସେହିପରି ଉଇଜନ ୧ ଲକ୍ଷ ୪୦ ହଜାର ୩୮୨ ନର୍ଦନ ପ୍ରିଣ୍ଟେଲ ୨ ଲକ୍ଷ ୧୮ ହଜାର ୨୫୪ ଗଡ଼ୱାଲ ୧ ଲକ୍ଷ ୫୬ ହଜାର ୬୩୬କମନକୁଟ ଦେଖାଦେଇଛି।