June 26, 2025 7:10 pm

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଜାନୁଆରୀ ୧୭  ଯାଏଁ ସାରା ଓଡିଶାରେ  ବୁଲିବ ପରିକ୍ରମା ରଥ, ଗୁଆ ଚାଉଳ ଦେଉଛନ୍ତି ଭକ୍ତଗଣ 

ଭୁବନେଶ୍ଵର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ  ମାତ୍ର କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ସ୍ଥଳେ ପ୍ରତିଟି ଗାଁ ବୁଲି ଗୁଆ, ଚାଉଳ ସଂଗ୍ରହ ନିଷ୍ପତ୍ତିର  ଆଜିଠୁ ଶୁଭାରମ୍ଭ ହୋଇଛି  ।  ପରିକ୍ରମା ରଥ ସବୁସ୍ଥାନ ପରିଭ୍ରମଣ କରୁଛି । ଆସନ୍ତା ଜାନୁଆରୀ ୧୭ ତାରିଖ ଯାଏଁ ଗାଁରୁ ସହର ସବୁଜାଗାରେ ବୁଲିବ ଜଗନ୍ନାଥ ରଥ । ଓଡିଆ ପ୍ରାଣର ଠାକୁର କାଳିଆ ସାଆଁନ୍ତଙ୍କ ପବିତ୍ର କାର୍ଯ୍ୟରେ ସାମିଲ ପାଇଁ ପ୍ରତିଟି ଓଡ଼ିଆଙ୍କ ମନରେ ଥିଲା ଅଭିଳାଷ । ଏହା ମାଧ୍ୟମରେ ପବିତ୍ର କାର୍ଯ୍ୟ ପାଇଁ ଆରାଧ୍ୟ ଦେବତାଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରୁଛନ୍ତି ଭକ୍ତ ।

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ସବୁଠି ଜଗନ୍ନାଥମୟ ପରିବେଶ । ଆସନ୍ତା ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । ଆଜିଠୁ ଗଡିଛି ପରିକ୍ରମା ରଥ । ପ୍ରତି ଘରୁ ସଂଗ୍ରହ କରାଯାଉଛି ଗୁଆ, ଅରୁଆ ଚାଉଳ । ପୁରୀରେ ଶୁଭାରମ୍ଭ ହୋଇଛି ପରିକ୍ରମା ରଥ । ଏହି ରଥ ସଦର ବ୍ଲକ ୨୫ ନମ୍ବର ଜୋନ ଅନ୍ତର୍ଗତ ତଳଜଂଘ ଓ ମାଳତୀ ପାଟପୁର, ୨୬ ନମ୍ବର ଜୋନ ଅନ୍ତର୍ଗତ ଗୋପୀନାଥପୁର ଓ କାଶୀ ହରିପୁର ଏବଂ ୨୭ ନମ୍ବର ଜୋନ ଅନ୍ତର୍ଗତ ବାଲିପୁଟ ଓ ରାଏଗୋରଡା ପଞ୍ଚାୟତରେ ପରିକ୍ରମା କରିବ । ସେହିଭଳି ଅସ୍ତରଙ୍ଗ ବ୍ଲକରୁ ପତାକା ଦେଖାଇ  ପାଞ୍ଚଟି ଅର୍ପଣ ରଥ ଉଦଘାଟିତ ହୋଇଛି । ରଥ ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ଗୋପାଳ ଜୀଉ ମନ୍ଦିରରୁ ବାହାରି ବିଭିନ୍ନ ପଞ୍ଚାୟତ ପରିକ୍ରମା କରୁଛି ।

କୋଣାର୍କର ବିଭିନ୍ନ ଅଞ୍ଚଳରୁ ପରିକ୍ରମା ରଥ ଗୁଆ, ଅରୁଆ ଚାଉଳ ସଂଗ୍ରହ କରୁଛି ।ରାଉରକେଲା ସହରର ସେକ୍ଟର ୩ ଜଗନ୍ନାଥ ମନ୍ଦିର ପରିସରରୁ ମଧ୍ୟ ଜଗନ୍ନାଥ ରଥ ଶୁଭାରମ୍ଭ ହୋଇଛି । ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ସୃଷ୍ଟି ପାଇଁ ସଙ୍କୀର୍ତ୍ତନ ମାଧ୍ୟମରେ ଏହି ରଥ ବୁଲିବା ଆରମ୍ଭ କରିଛି । ରାଉରକେଲା ସହରର ସମସ୍ତ ୪୦ଟି ୱାର୍ଡ ବୁଲିବ ଏହି ରଥ । ସେହିପରି ଜଗତସିଂହପୁର ମଧ୍ୟ ଜଗନ୍ନାଥ ଅର୍ପଣ ରଥ ଭ୍ରମଣର ଶୁଭାରମ୍ଭ ହୋଇଛି । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଏବଂ ଉମୋରକୋଟରୁ ମଧ୍ୟ ଗୁଆ, ଚାଉଳ ସଂଗ୍ରହ କରୁଛି ପରିକ୍ରମା ରଥ । ସେହିଭଳି ମୟୂରଭଞ୍ଜର କରଞ୍ଜିଆରେ ନିଜ ଆରାଧ୍ୟ ଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଗୁଆ ଚାଉଳ ପ୍ରଦାନ କରୁଛନ୍ତି ଭକ୍ତ ।