ଶାନ୍ତନୁ କୁମାର ରଣା
ଗୋପାଳପୁର: ସ୍ଥାନୀୟ ଭଞ୍ଜବିହାରସ୍ଥିତ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ୨ ତାରିଖ ଅର୍ଥାତ୍ (ମଙ୍ଗଳବାର) ଅନୁଷ୍ଠିତ ହୋଇଛି । କବି ହରପ୍ରସାଦ ଦାସ ମୁଖ୍ୟ ଅତିଥି ଓ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଳିପୁଡ଼ି ପଣ୍ଡିତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।
କୁଳପତି ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ପ୍ରଗତି ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । କବି ହର ପ୍ରସାଦ ଦାସଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତିଷ୍ଠା ଦିବସର ସର୍ବଶ୍ରେଷ୍ଠ ସମ୍ମାନ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ସମ୍ମାନରେ ସମ୍ମାନୀତ କରାଯାଇ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଶିକ୍ଷାବିତ୍ କାମାକ୍ଷୀ ପ୍ରସାଦ ଦାସ ଓ ନାଟ୍ୟକାର ବିପିନ ବିହାରୀ ମହାପାତ୍ରଙ୍କ ବିଶ୍ୱବିଦ୍ୟାଳୟ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି । ସେହିପରି ବରିଷ୍ଠ କୃଷ୍ଣ ଲୀଳା ସାଧକ ଗୋପୀନାଥ ସ୍ୱାଇଁ ଓ ଗାହାଣ ଗାୟକ ଅଭିମନ୍ୟୁ ରାଉତଙ୍କୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନୀତ କରାଯାଇଛି । ୨୦ହଜାର ଟଙ୍କା ଅର୍ଥରାଶୀ ପୁରସ୍କାର ଦିଆଯାଇଛି ।
ଶ୍ରେଷ୍ଠ ପୁରାତନ ଛାତ୍ର ସମ୍ମାନ ପାଇଛନ୍ତି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ ଶୀକତା ଦାସ । ଏଥି ସହ ସମସ୍ତ ବିଭାଗର ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସ୍ମାରକୀ ବୃତ୍ତି ଅର୍ଥରାଶୀ ପ୍ରଦାନ କରାଯାଇଛି । ଅନ୍ତଃ ମହାବିଦ୍ୟାଳୟ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ, ଅଣ ଶିକ୍ଷକ କର୍ମଚାରୀ ପ୍ରବନ୍ଧ ପ୍ରତିଯୋଗୀତାର ବିଜେତାଙ୍କ ସମେତ ଶ୍ରେଷ୍ଠ ଏନ୍ଏସ୍ଏସ୍ ଅଧିକାରୀ ଏବଂ ସ୍ୱେଚ୍ଛାସେବୀଙ୍କୁ ପୁରସ୍କାର ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ପିଜି କାଉନ୍ସିଲ୍ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଅତିଥି ପରିଚୟ କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ କୁଳସଚିବ ସଚ୍ଚିଦାନନ୍ଦ ନାୟକ । ବ୍ରହ୍ମପୁରର ପୂର୍ବତନ ବିଧାୟକ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ମହାନ୍ତି, ମେଜର ରମାରମଣ ପାଢ଼ୀ, ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ପ୍ରଫେସର ପ୍ରକାଶ ମିଶ୍ର, ପ୍ରଫେସର ମାନସ ରଞ୍ଜନ ଦାସ, ଉପକୂଳ ସଚିବ ଡ଼. ବାବୁଜୀ ସାମଲ, ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟବ୍ରତ ପାତ୍ର, ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ, ଜାତୀୟ ସେବା ସଂହିତି ସଂଯୋଜକ ଜୟନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ । ଡ଼. ଶାରଦା ପ୍ରସାଦ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ଡ଼. ଶଙ୍କର ମାଝୀ, ବନ୍ଦିତା ପଣ୍ଡା, ଡ଼. ସୁମନ କଲ୍ୟାଣ ଚୌଧୁରୀ, ଡ଼. ମିହିର କୁମାର ତ୍ରିପାଠୀ, ସୁଶାନ୍ତ କୁମାର ସାହୁ, ରାମ ନାରାୟଣ ସାହୁ ପ୍ରମୁଖ ସହଯୋଗ କରିଥିଲେ ।









