ଭୁବନେଶ୍ୱର:ଓଡ଼ିଶାର ତିନୋଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଏବଂ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି।ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା (GSI) ଏବଂ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ସର୍ବେକ୍ଷଣ ଅନୁଯାୟୀ କେନ୍ଦୁଝରର, ଦେବଗଡ଼ର ଓ ମୟୂରଭଞ୍ଜରେ ସୁନାବାହୀ ପଥର ଚିହ୍ନଟ ହୋଇଛି। କେନ୍ଦୁଝର ଜିଲ୍ଲାର ଗୋପୁର – ଜଳଡିହାରେ ୧୯୧.୦୬ କେଜି, ମୟୂରଭଞ୍ଜ ଜିଲ୍ଲାର ମଦନ ସାହି – କଞ୍ଜିଆ ଠାରେ ୧୪୬୨.୭୩ କେଜି ଓ ଦେବଗଡ଼ର ଅଡ଼ଶ ଠାରେ ୧୬୮୫ କେଜି ସୁନା ମହଜୁଦ ଅଛି । ୩ଟି ଜିଲ୍ଲାରେ ମୋଟ ୩,୩୩୮.୭୯ କେଜି ସୁନା ମହଜୁଦ ଅଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ।ସେହିଭଳି ଦେବଗଡ଼ ଓ ସୁନ୍ଦରଗଡ଼ରେ ଅଛି ରୂପା ଖଣି । ଦେବଗଡ଼ ଜିଲ୍ଲାର ଅଡ଼ଶ ଠାରେ ୦.୬୩୮ ମେଟ୍ରିକ୍ ଟନ୍, ସୁନ୍ଦରଗଡ଼ର ସରଗିପାଲି ଠାରେ ୧.୭୪୯ ମେଟ୍ରିକ୍ ଟନ୍ ରୂପା ମହଜୁଦ୍ ଅଛି । ଦୁଇଟି ଜିଲ୍ଲାରେ ମୋଟ ୨.୩୮୭ ମେଟ୍ରିକ୍ ଟନ୍ ରୂପ ମହଜୁଦ ଅଛି । ରାଜ୍ୟର କଳାହାଣ୍ଡିରେ ମିଳିଛି ମୂଲ୍ୟବାନ ମାଣିକ୍ୟ ବା ରୁବି ଖଣିର ସନ୍ଧାନ । କଳାହାଣ୍ଡି ଜିଲ୍ଲାର ଜିଲିଙ୍ଗଧର – ହିଞ୍ଜିଲିବାହାଲ ଠାରେ ୫ ହଜାର ୩୪୯ କେଜି ମାଣିକ୍ୟ ପଥର ଗଚ୍ଛିତ ଅଛି । ଏ ସନ୍ଧାନ ପାଇବା ପରେ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।