June 26, 2025 3:53 pm

ଟୋକିଓ ଏୟାରପୋର୍ଟରେ ଦୁର୍ଘଟଣା : ରନୱେ ରେ ଜଳିଗଲା ବିମାନ

ବିମାନଟି ଏକ ତଟରକ୍ଷୀ ବାହିନୀ ସହିତ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା

ଟୋକିଓ : ଜାପାନରେ ଅବତରଣ ସମୟରେ ଏକ ବିମାନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଟୋକିଓ ବିମାନ ବନ୍ଦରରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ଜାପାନ ନ୍ୟୁଜ୍ ଏଜେନ୍ସି ଏନଏଚକେ ଏହି ଦୁର୍ଘଟଣା ସମ୍ପର୍କରେ ବଡ଼ ସୂଚନା ଦେଇଛି।  ଏନଏଚକେ ସାମ୍ବାଦିକଙ୍କ କହିବାନୁସାରେ, ବିମାନଟି ଏକ ତଟରକ୍ଷୀ ବାହିନୀ ସହିତ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। 

ଅନେକ ବିଦେଶୀ ଗଣମାଧ୍ୟମ ଏହି ଘଟଣାର ଫୁଟେଜ୍ ଜାରି କରିଛନ୍ତି। ଏଥିରେ ବିମାନର ଝରକା ଓ ତା’ ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳୁଛି। ଜାପାନୀ ଗଣମାଧ୍ୟମ ଅନୁଯାୟୀ, ଯେଉଁ ବିମାନରେ ଅଗ୍ନିକାଣ୍ଡ ଘଟିଥିଲା ତାହାର ନମ୍ବର ଜେଏଏଲ୍ ୫୧୬ ଥିଲା ଏବଂ ଏହି ବିମାନ ହୋକାଇଡୋରୁ ଉଡ଼ାଣ ଭରିଥିଲା। ଜାପାନ ଏୟାରଲାଇନ୍ସ ବିମାନ ୫୧୬ ଜାପାନର ସ୍ଥାନୀୟ ସମୟ ଅପରାହ୍ଣ ୪ଟାରେ ନ୍ୟୁ ଚିଟୋସ୍ ବିମାନବନ୍ଦରରୁ ବାହାରି ୧୭ଟା ୪୦ରେ ହାନେଡାରେ ଅବତରଣ କରିବାର ଥିଲା।

ଜାପାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ନିଆଁ ଲାଗିବା ପୂର୍ବରୁ ବିମାନରୁ ସମୁଦାୟ ୩୬୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା  ଏବଂ ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି ।