ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଲ୍ର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିବସ ହୋଇ ରହିବ। ପରିବହନ କ୍ଷେତ୍ରରେ ଆସିବ ବଡ ରୂପାନ୍ତରଣ। ସେ କହିଥିଲେ ଯେ ମେଟ୍ରୋ ରେଲ୍ପାଇଁ ମୁଁ ଯେଉଁ ପ୍ରତିଶୃତି ଦେଇଥିଲି, ତାହା ଆଜି ପାଳନ କରୁଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଯୋଜନା ଗାଁରେ ରୂପାନ୍ତର ଆଣିଛି, ମେଟ୍ରୋ ରେଲ୍ ଯୋଜନା ଏ ରୂପାନ୍ତରକୁ ଆହୁରି ଆଗକୁ ନେବ। ପୁରୁଣା ରାଜଧାନୀ କଟକ ସହିତ ନୂଆ ରାଜଧାନୀ ଭୁବନେଶ୍ୱରର ସମ୍ପର୍କକୁ ଆହୁରି ମଜବୁତ କରିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମେଟ୍ରୋ ରେଲ୍ର ଏହି ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ନିର୍ମାଣ କରାଯିବ। ୨୬ କି.ମି. ଏହି ପ୍ରକଳ୍ପରେ ୨୦ଟି ଷ୍ଟେସନ ରହିବ ଓ ଏଥିପାଇଁ ୬୨୫୫.୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୫-ଟି ଉପକ୍ରମରେ ଏହା ରାଜ୍ୟର ଏକ ଫ୍ଲାଗସିପ୍ ପ୍ରକଳ୍ପ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକଳ୍ପର ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ପ୍ରକାଶକରି ସେ କହିଲେ ଯେ ଓଡିଶା ଇତିହାସରେ ଭିତ୍ତିଭୂମି କ୍ଷେତ୍ରରେ ଏହା ସବୁଠାରୁ ବଡ ନିବେଶ। ଶେଷରେ ସେ କହିଥିଲେ ଯେ ମେଟ୍ରୋ ରେଲ୍କୁ ଖୋର୍ଦ୍ଧା, ପୁରୀ ଓ କଟକ ସହରକୁ ସଂପ୍ରସାରଣ କରିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏକ ନୂଆ ଓଡିଶା ସଶକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ ଭୁବନେଶ୍ୱର ଏୟାରପୋର୍ଟ ଛକରୁ ବାରଙ୍ଗ ରତାଗଡ ପର୍ଯ୍ୟନ୍ତ ରୋଡ୍ ସୋ ରେ ଆସି ସେଠାରେ ମେଟ୍ରୋ ପ୍ରକଳ୍ପ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଏୟାରପୋର୍ଟ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ରୋଡ୍-ସୋରେ ଯାଇ କ୍ୟାପିଟାଲ ହସ୍ପିଟାଲ ଛକ, ୧୨୦ ବ୍ୟାଟାଲିୟାନ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଲ୍ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଇଣ୍ଡିଆନ ଅଏଲ ଛକ, କିଟ୍ ଛକ, ନନ୍ଦନ ବିହାର ଓ ରଘୁନାଥପୁରଠାରେ ଉପସ୍ଥିତ ଜନତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେଠାରୁ ସେ ବାରଙ୍ଗ ଛକ ଓ ଫୁଲପୋଖରୀ ଛକରେ ଲୋକଙ୍କୁ ଶୁଭେଚ୍ଛା ଜଣାଇ ବାରଙ୍ଗ ରତାଗଡଠାରେ ପହଞ୍ଚି ମେଟ୍ରୋ ରେଲ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଦେଇଥିଲେ ଏବଂ ଶେଷରେ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଅପ୍ରେଲ ପହିଲାରେ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ମେଟ୍ରୋ ରେଲ୍ ପ୍ରକଳ୍ପ ଆରମ୍ଭ କରିବା ସମ୍ପର୍କରେ ଘୋଷଣା କରିଥିଲେ। ଅକ୍ଟୋବର ୨୯ ରେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ତ୍ରିଶୂଳିଆ ଯାଇ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ୨୦୨୩ ନଭେମ୍ବର ୧୪ ତାରିଖରେ ଏହି ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଥିଲେ। ଅନୁମୋଦନ ମିଳିବାର ମାତ୍ର ୪ ମାସ ମଧ୍ୟରେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ଆଜି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ଓ ଭୁବନେଶ୍ୱର ମେଟ୍ରୋ ରେଲ୍ କର୍ପୋରେସନର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।