ସଂସଦରେ SIR ସହିତ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ମୋଦି ସରକାର:ଅମିତ ଶାହ

ଛତିଶଗଡ଼: ରାୟପୁର ଅଟଳ ନଗରସ୍ଥିତ କାୟାବାନ୍ଧାରେ ‘ବିକଶିତ ଭାରତ ସଂକଳ୍ପ ପାର୍କ ପୀପଲ ୱାନ୍’ର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଅମିତ ଶାହ କହିଛନ୍ତି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମେତ ପ୍ରତ୍ୟେକ ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବାକୁ ମୋଦୀ ସରକାର ପ୍ରସ୍ତୁତ l ଏଥିସହ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି lନିଜ ଅଭିଭାଷଣରେ ଅମିତ ଶାହ କଂଗ୍ରେସ ଏବଂ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, କଂଗ୍ରେସ ସବୁବେଳେ ଅସାମ୍ବିଧାନିକ ବ୍ୟବସ୍ଥା ଓ ସରକାରଗୁଡ଼ିକୁ ସମର୍ଥନ କରିଆସିଛି। ଶାହ କହିଥିଲେ ଯେ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ମାଓବାଦୀମାନେ ନିଜସ୍ୱ ଜନତା ସରକାର ଗଠନ କରି ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଭଳି ପଦବୀ ସୃଷ୍ଟି କରିଥିଲେ। ଏଭଳି ସମାନ୍ତରାଳ ଶାସନ ବ୍ୟବସ୍ଥାକୁ କେଉଁ ସମ୍ବିଧାନ ଅନୁମତି ଦେଇଛି ବୋଲି ସେ ପ୍ରଶ୍ନ କରିଥିଲେ। ଏହାସହ ନିରୀହ ସାମ୍ବାଦିକ, ସମାଜସେବୀ ଓ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଉଠାଇ ନକ୍ସଲବାଦୀଙ୍କ ଏଭଳି କାର୍ଯ୍ୟକଳାପକୁ ସମର୍ଥନ କରିବା ନେଇ କଂଗ୍ରେସକୁ ଘେରିଥିଲେ ଗୃହମନ୍ତ୍ରୀ।ସେ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଛତିଶଗଡ଼ ରାଜ୍ୟ ଗଠନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନକ୍ସଲବାଦରୁ ମୁକ୍ତ କରି ବିକାଶର ନୂଆ ରାସ୍ତା ଦେଖାଇଛନ୍ତି।ରାଜ୍ୟରେ ପୂର୍ବତନ ରମଣ ସିଂହ ସରକାରଙ୍କ ସମୟରେ ବିକାଶମୂଳକ କାର୍ଯ୍ୟ ହୋଇଥିବା ସେ ଉଲ୍ଲେଖ କରିଥିଲେ। ଅନ୍ୟପଟେ କଂଗ୍ରେସ ଶାସନ ସମୟରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିକାଶକୁ ଆବଶ୍ୟକ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗ କରିଥିଲେ।

Leave a Comment