ଭୁବନେଶ୍ୱରରେ ଭୟଙ୍କର ହିଟ୍-ଏଣ୍ଡ-ରନ୍: ବସ୍ ଧକ୍କାରେ ୨ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ-ସିଆରପି ରାସ୍ତାରେ ହିଟ୍-ଏଣ୍ଡ-ରନ୍ ଘଟଣାରେ ଏକ ଦ୍ରୁତଗାମୀ ବସ୍ ଏକ କାରକୁ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇ ବସ୍‌ ଫେରାର ଅଛି । ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ହେଲେ ବରଗଡ଼ ଜିଲ୍ଲାର ଗୀତାଞ୍ଜଳି ରଣା (୨୪) ଓ ନୟାଗଡ଼ର ଝୁନା ମଣ୍ଡଳ (୪୧) । ସେହିପରି ଗୁରୁତର ଆହତ ହୋଇଛନ୍ତି ପ୍ରଦୀପ ଜେନା (୪୫) ଓ ବରଗଡ଼ର ସୁନିତା ମେହର (୨୬) । ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଟି ସକାଳ ପ୍ରାୟ ସାଢେ ୫ରୁ ୬ଟା ମଧ୍ୟରେ ଘଟିଛି । ବସ୍‌ଟି ପ୍ରଥମେ ନୟାପଲ୍ଲୀ ନିକଟରେ ପାର୍କିଂ ହୋଇଥିବା ଏକ କାର୍‌କୁ ଧକ୍କା ଦେଇଥିଲା । ଧକ୍କାର ପ୍ରଭାବରେ କାରଟି ସମ୍ପୂର୍ଣ୍ଣ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । କାର୍‌କୁ ଧକ୍କା ଦେଇ ପରେ ରାସ୍ତାକଡ଼ରେ ଯାଉଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଦୁର୍ଘଟଣା ପରେ ବସ୍ ନେଇ ଡ୍ରାଇଭର ଫେରାର ହୋଇଯାଇଛି । ଅନ୍ୟପଟେ ସିସିଟିଭି ଫୁଟେଜ୍ ଆଧାରରେ ନୟାପଲ୍ଲୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Comment