ରାଜ୍ୟରେ ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶାରେ ୮ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ନୂଆ ନିଯୁକ୍ତି ଓ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବରିଷ୍ଠ ଆଇଏଏସ୍‌ ଡ. ପୋମା ଟୁଡୁଙ୍କୁ ମିଳିଛି କୃଷି ଓ ଖାଦ୍ୟ ଉତ୍ପାଦକ ବିଭାଗର ଦାୟିତ୍ୱ। ସେ ଏହି ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପାଇଛନ୍ତି। ଏବେ ସେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ସହ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇବେ। ପୂର୍ବରୁ ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନର ଆରଡିସି ଭାବେ ଦାୟିତ୍ୱରେ ଥିବା ଆଇଏଏସ୍‌ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ମଧ୍ୟ ନୂଆ ଦାୟିତ୍ୱ ମିଳିଛି। ଏବେ ସେ ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଆରଡିସି ଭାବେ ଦାୟିତ୍ୱ ତୁଲାଇବେ। ଏଥିସହ WODCର ଅଧ୍ୟକ୍ଷ ଦାୟିତ୍ୱରେ ରହିବେ। ଆଇଏଏସ୍‌ ଶୁଭମ ସକ୍ସେନା ପୂର୍ବରୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ରହିଥିଲେ। କିନ୍ତୁ ଏବେ ସେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏର ଉପାଧ୍ୟକ୍ଷ ହୋଇଛନ୍ତି। ଡ. ଗାଭାଲି ପରାଗ ହର୍ଷଦଙ୍କୁ ରାଜ୍ୟ ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM)ର ପରିଚାଳନା ନିର୍ଦ୍ଦେଶକ କରିଛନ୍ତି। ଆଇଏଏସ ବିଜୟ ଅମୃତ କୁଲାଙ୍ଗେଙ୍କୁ ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଆରଡିସି କରାଯାଇଛି। ପୂର୍ବରୁ ସେ ପଶୁପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ସହ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ। ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ଅତିରିକ୍ତ ଦାୟିତ୍ୱ ମିଳିଛି। ଶ୍ରୀ ରାଠୋର ଏବେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଥିଲେ। ପ୍ରଣତୀ ଛୋଟରାୟଙ୍କୁ ଓମଫେଡର ପରିଚାଳନା ନିର୍ଦ୍ଦେଶକ କରାଯାଇଛି। ସେ ଗୃହ ବିଭାଗର ଅତିରିକ୍ତ ସଚିବ ରହିଥିଲେ। ଶୁବ୍ର କୁମାର ପଣ୍ଡା ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

Leave a Comment