June 26, 2025 11:12 pm

ସମ୍ବାଦ ସାହିତ୍ୟଘର ପକ୍ଷରୁ ସାହିତ୍ୟ ଚର୍ଚ୍ଚା

ବିଶ୍ଵରଞ୍ଜନ ପଟ୍ଟନାୟକ

ଅନୁଗୁଳ :  ସ୍ଥାନୀୟ ସଂସ୍କୃତି ବିଭାଗ ପାଠାଗାର ରେ ସମ୍ବାଦ ସାହିତ୍ୟ ଘର ଅନୁଗୁଳ ଶାଖା ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।ଏହି କର୍ମଶାଳା କୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ଲେଖିକା ତଥା ଅନୁବାଦିକା ପ୍ରବାସିନୀ ମହାକୁଡ। ଶ୍ରୀମତୀ ମହାକୁଡ ନିଜ ଅଭିଭାଷଣ ରେ କବିତା ଚିରନ୍ତନ,କବି ର ଆତ୍ମା ରୁ ସ୍ଵତଃସ୍ପୃତ ଭାବେ ନିଗିଡ଼ି ପଡ଼ୁଥିବା ଅଭିବ୍ୟକ୍ତି ହିଁ ଅସଲ କବିତା ବୋଲି ପ୍ରକାଶ କରିଥିଲେ।କର୍ମଶାଳା ରେ ଶ୍ରୀମତୀ ମହାକୁଡ ଶ୍ରୋତା ମାନଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇଥିଲେ। 

ଏ ସଭା ରେ ସଭାପତିତ୍ବ କରି ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ପ୍ରବାସୀନି ଙ୍କକବିତାରେ ନାରୀବାଦ ଏବଂ ସାଧାରଣ ମଣିଷ ଜୀବନ ର ବୈଚିତ୍ର୍ୟ ଉପରେ ଆଲୋକପାତ କରିଥିଲେ।ସମାରୋହରେ ଅନ୍ୟ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ସମ୍ବାଦ ଅନୁଗୁଳ ସଂସ୍କରଣ ର ମୁଖ୍ୟ ପ୍ରଦ୍ୟୁମ୍ନ ରାଉତ,ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ,ସମାଜସେବୀ ବଜରଙ୍ଗ ଲାଲ ଅଗରୱାଲ,ଅନୁଷ୍ଠାନର ସମ୍ପାଦକ ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଗାଳ୍ପିକା ସୁଷମା ଚୌଧୁରୀ ଙ୍କ ପୁସ୍ତକ ସ୍ମୃତି କାନଭାସ ରୁ କିଛି ପୁସ୍ତକ କୁ ଅତିଥିମାନେ ଉନ୍ମୋଚନ କରିଥିଲେ।ଏହାଛଡା ମୁଖ୍ୟ ଅତିଥି ପ୍ରବାସୀନି ମହାକୁଡ, ଐତିହାସିକ ଡ଼ା ରମା ମଞ୍ଜରୀ ସାହୁ ଓ ସମାଜ ସେବୀ ବିଜୟ ମୋଦି ଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଧିତ କରାଯାଇଥିଲା। ସନତ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।