ଭୁବନେଶ୍ୱର:ମଧ୍ୟପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “ମଧ୍ୟପ୍ରଦେଶର ଆଗର ମାଲୱାରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ମୋର ସମବେଦନା ଜଣାଉଛି।ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହି ଘଟଣାରେ ଆହତମାନଙ୍କ ପାଇଁ ୫୦,୦୦୦ ଟଙ୍କା ଘୋଷଣା କରାଯାଇଛି।
ସେହିପରି ସେମିକନ ୨୦୨୬ରେ ଯୋଗ ଦେଇ ଦିଲ୍ଲୀରୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦର ଠାରେ ଗଣମାଧ୍ୟମ ଆଗରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ।ଏହାସହିତ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାରଙ୍କ ଅଧିକାରୀମାନେ ମଧ୍ୟପ୍ରଦେଶ ଅଧିକାରୀମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ମୃତ ପର୍ଯ୍ୟଟକଙ୍କ ମରଶରୀରକୁ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।