ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ପଦରୁ ଇସ୍ତଫା ଦେବା ପରେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଦିଆଯାଇଛି। ଯୋଶୀ ଏବେ ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ଥିବା ବେଳେ ଶିକ୍ଷା ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଏହାସହ ରାଷ୍ଟ୍ରପତି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି। ଏହା ପରେ ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟ ସୁଚାରୁ ଭାବେ ପରିଚାଳନା ପାଇଁ ପ୍ରହ୍ଲାଦ ଯୋଶୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ ରହିଥିଲା ସିଜେପି। ଶନିବାର ସରକାରଙ୍କ ସହ ତୃତୀୟ ପର୍ଯ୍ୟାୟ ବୈଠକ ପୂର୍ବରୁ ସିଜେପି ସ୍ପଷ୍ଟ କରି ଦେଇଥିଲା ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବିନା କୌଣସି ଆଲୋଚନା ହୋଇପାରିବ ନାହିଁ। ବହୁ ବାଦ ବିବାଦ ପରେ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଏହା ପରେ ସିଜେପି ସହିତ ବସିଥିବା ବୈଠକରେ ସରକାର ସେମାନଙ୍କର ବାକି ସମସ୍ତ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।