ଭୁବନେଶ୍ୱର: ହେଲିକପ୍ଟର ଗସ୍ତ ମାମଲା ରେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଉଭୟ ପାଣ୍ଡିଆନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଓକିଲଙ୍କ ମାଧ୍ୟମରେ ଜବାବ ଦାଖଲ କରିଛନ୍ତି। ଜୁଲାଇ ୧୫ତାରିଖ ସୁଦ୍ଧା ପକ୍ଷ ରଖିବାକୁ ଉଭୟଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଓକିଲ ସୁଧୀର ଚରଣ ମହାନ୍ତିଙ୍କ ଦ୍ୱାରା ଦାଏର ରିଭିଜନ୍ ପିଟିସନ ଆଧାରରେ ନବୀନ ଓ ପାଣ୍ଡିଆନଙ୍କୁ କୋର୍ଟ ସମନ ଜାରି କରିଥିଲେ। ପାଣ୍ଡିଆନଙ୍କ ଓକିଲ ଶ୍ରୀ ଦ୍ୱିବେଦୀ ଦର୍ଶାଇଛନ୍ତି ଯେ, ଅଭିଯୋଗକାରୀ ନିଜ ଆବେଦନରେ ହେଲିକପ୍ଟର ଗସ୍ତର କୌଣସି ତାରିଖ, ସ୍ଥାନ କିମ୍ବା ଖର୍ଚ୍ଚ ବହନ କରିଥିବା କୌଣସି ସଂସ୍ଥାର ନାଁ ଦେଇପାରିନାହାନ୍ତି। ପ୍ରତାରଣା, ଜାଲିଆତି କିମ୍ବା ବିଶ୍ୱାସଘାତକତା ଭଳି ଆଇନଗତ ଦଫାର କୌଣସି ଆଧାର ଏଠାରେ ଗ୍ରହଣଯୋଗ୍ୟ ନୁହେଁ। ତେଣୁ ଏସଡିଜେଏମ୍ କୋର୍ଟଙ୍କ ଆଦେଶ ସମ୍ପୂର୍ଣ୍ଣ ଆଇନସମ୍ମତ ଥିଲା ଓ ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟ ଅନୁସାରେ ଅସ୍ପଷ୍ଟ ଅଭିଯୋଗ ଉପରେ ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ। ତେଣୁ ସୁଧୀର ଚରଣ ମହାନ୍ତିଙ୍କ ଦ୍ୱାରା ଦାଖଲ ରିଭିଜନ୍ ପିଟିସନକୁ ସମ୍ପୂର୍ଣ୍ଣ ଭିତ୍ତିହୀନ, ଅସ୍ପଷ୍ଟ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଆଇନର ଅପବ୍ୟବହାର ବୋଲି ଦର୍ଶାଇ ଏହାକୁ ଖାରଜ କରିବା ପାଇଁ ଶ୍ରୀ ଦ୍ୱିବେଦୀ କୋର୍ଟଙ୍କୁ ନିବେଦନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୧ତାରିଖରେ ହେବ ବୋଲି ଜଣାପଡ଼ିଛି।