ଦୀପକ ନାୟକ
ବାରିପଦା: ଓଡିଶାର ମୟୂରଭଂଜ, କେନ୍ଦୁଝର ଓ ଦେବଗଡ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁନା ପଥର ଥିବା ସୂଚନା ମିଳିଛି । ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟ ସର୍ବେକ୍ଷଣ ସଂସ୍ଥା ଏବଂ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜି.ଏସ.ଆଇ.) ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇଛି ବୋଲି ବିଧାନ ସଭାରେ ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ପ୍ରଶ୍ନର ଉତର ଦେଇ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗୃହକୁ କିଛି ମାସ ତଳେ ଅବଗତ କରିବା ପରେ ମୟୂରଭଂଜରେ ସୁନାଖଣି ନେଇ ବେଶ ଚର୍ଚ୍ଚା ଲାଗି ରହିଛି ।
ମୟୂରଭଂଜ ଜିଲ୍ଲା ସୁରୁଆଗୁଡା-ରୁଆଁସି ଅଂଚଳରେ ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟ ଓ ଯଶୀପୁର ନିକଟରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ଦ୍ଵାରା ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ଚାମାରଡିହି, ବାଦାମ ପାହାଡ ଇତ୍ୟାଦି ଅଂଚଳରେ ଥିବା ସୁନାବାହୀ ପଥରରେ ୦.୧ ରୁ ୨.୬ ଗ୍ରାମ ସୁନା ୧ ଟନ ପଥରରେ ମିଶି ରହିଥିବା ଆକଳନ କରାଯାଇଛି । ସେହିପରି ସୁଲେଇପାଟ ଅଂଚଳରେ ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟ ତରଫରୁ ୧୯୭୦-୭୧ ମସିହାରେ ଅନୁସନ୍ଧାନ କରାଯାଇ ଧୁସୁରା ପାହାଡରେ ୨.୩ କିଲୋମିଟର ବ୍ୟାପି ଅଂଚଳରେ ୧ ଟନ ପଥରର ୦.୧ ରୁ ୦.୮ ଗ୍ରାମ ସୁନା ଥିବାର ଆକଳନ କରାଯାଇ ଥିବାର ଜଣାଯାଇଛି । ସେହିପରି ମୟୂରଭଂଜ ଜିଲ୍ଲା ବାରିପଦା ନିକଟ କେଶରପୁର ଠାରେ ରହିଥିବା ତମ୍ବା ଏବଂ ଅନୁସଙ୍ଗିକ ଖଣିଜ ଦ୍ରବ୍ୟ ଖଣି ସର୍ଭେ କାମ ୧୯୬୯ ମସିହାରୁ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ୱାରା ଆରମ୍ଭ ହୋଇ ୧୯୭୭ ମସିହା ପର୍ଯ୍ୟନ୍ତ ଚାଲିଥିଲା ।
ସେତେ ବେଳେ ଏଠାରୁ ମୁଖ୍ୟତ ତମ୍ବା ପଥର ବାହାରୁଥିଲା । ପରେପରେ ୧୯୭୭- ୭୮ ମସିହାରୁ ୧୯୮୫ ମସିହା ପର୍ଯ୍ୟନ୍ତ ଏମ.ଏ.ସି.ଏଲ. ସଂସ୍ଥା ଦ୍ୱାରା ତମ୍ବା ପଥର ଉତୋଳନ ହେଉଥିଲା । ତେବେ ସେତେବେଳେ ମଧ୍ୟ ଏହି ଅଂଚଳରୁ ମୁଖ୍ୟ ଧାତୁ ତମ୍ବା ସହିତ ସୁନା, କୋବାଲଟ ଆଦି ରହିଥିବାର ପରୀକ୍ଷାରୁ ଜଣା ଯାଇଥିଲା । ଏହି ସମୟରେ ଗ୍ରାମାଂଚଳରେ ବ୍ୟାଙ୍କିଙ୍ଗ ସୁବିଧା ପହଂଚିପାରି ନଥିବାରୁ କେଶରପୁର ଖଣି ଉଦେଶ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ କେଶରପୁର ନାମରେ ଏକ ଶାଖା ନିକଟସ୍ଥ ଜାତୀୟ ରାଜପଥ କଡରେ ଥିବା ଗ୍ରାମ ବୁଡାମରା ଠାରେ ଖୋଲାଯାଇଥିଲା ଯାହା ଏବେବି କାର୍ଯ୍ୟକରି ଆସୁଛି । ତେବେ କୌଣଷି କାରଣ ବଶତ ୧୯୮୫ ମସିହାରେ ଏହି ଖଣିକାମ ବନ୍ଦ ହୋଇଯାଇଥିଲା । ପୁନଶ୍ଚ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ୨୦୧୮ ମସିହାରୁ ଏଠାରେ କପର ଏଣ୍ଡ ପ୍ରିସେସ ମେଟେରିଆଲ ସର୍ଭେ ଏହି ଅଂଚଳର ମଦନା ସାହି, କେଶରପୁର, ଡୁମୁରୁଡିହା, ନୟାଦୁଧିଆଶୋଳ, ମୁଣ୍ଢାବଣି ଆଦି ସ୍ଥାନରେ ଚାଲିଛି । ବର୍ତମାନ ଡ୍ରିଲିଂ କରି ୩୦ ମିଟରରୁ ୪୦୦ ମିଟର ଗଭୀରତା ମଧ୍ୟରେ ନମୁନା ସଂଗ୍ରହ କରାଯାଉଛି । ଏଠାକାର ଖଣିଜ ପଥରରୁ ତମ୍ବା ସହ ସୁନା, କୋବାଲଟ ଏପରିକି ଡୁମୁରୁଡିହା ଠାରେ ୟୁରାନିୟମ ନମୁନା ମଧ୍ୟ ମିଳିଥିବାର ଜଣାଯାଇଛି ।
ସେହିପରି ବାଙ୍ଗିରିପୋଷୀ ଅଂଚଳର ନାଫ୍ରି ଏବଂ କଲମପୁର ଆଦି ଅଂଚଳରେ ମଧ୍ୟ କପର ଏବଂ ସୁନା ଆଦି ଅନ୍ୟାନ୍ୟ ଆନୁସଙ୍ଗିକ ଖଣିଜ ପଦାର୍ଥ ମହଜୁଦ ଥିବାର ଜଣାଯାଇଛି । ତେବେ ଜିଲ୍ଲାର ସୂବର୍ଣ୍ଣରେଖା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ନଦୀ ଏବଂ ନାଳରୁ ଲୋକେ ବାଲିକୁ ଛାଣି ସୁନା ସଂଗ୍ରହ କରୁଥିବାର ମଧ୍ୟ ଦେଖାଯାଏ । ଜିଲ୍ଲାର ବିଭିନ୍ନ ଅଂଚଳରେ ସୁନାପଥର ମହଜୁଦ ଥିବାର ଜଣାଯାଇଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଚାଲିଥିବା ସର୍ଭେରେ ଏଠାରୁ ମିଳୁଥିବା ଧାତବ ପଥରରେ ସୁନାର ପରିମାଣ କମ ଥିବାର କହି ଏହାକୁ କାର୍ଯ୍ୟକାରୀ କରାଯାଉ ନାହିଁ । ମାତ୍ର ବିଭିନ୍ନ ସମୟରେ ମିଳିଥିବା ନମୁନାରେ ଅନେକ ବାର ଅଧିକ ପରିମାଣର ସୁନା ରହିଥିବାର ଦେଖଣାହାରୀ ମାନେ କହିଛନ୍ତି । ତେବେ ଜିଲ୍ଲାରେ ଖଣି କାର୍ଯ୍ୟକାରୀ ହେଲେ, ସରକାରଙ୍କର ରାଜସ୍ୱ ବୃଦ୍ଧି ହେବା ସହ ବହୁ କର୍ମ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇ ପାରନ୍ତା ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।