କୋଟି କୋଟି ସମ୍ପତି ପାଇଁ ସୁପାରୀ ଦେଇ ମା’ଙ୍କୁ ହତ୍ୟା

ରାଜସ୍ଥାନ: ପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ଓ ସରକାରୀ ଚାକିରି ହାତେଇବା ପାଇଁ ଜଣେ ୨୪ ବର୍ଷୀୟା ଆଇନ ଛାତ୍ରୀ ନିଜ ମା’ଙ୍କୁ ହତ୍ୟା କରାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଝିଅ ୭ଲକ୍ଷ ଟଙ୍କାରେ ସୁପାରି କିଲରଙ୍କୁ ନିଯୁକ୍ତ କରି ଘଟଣାକୁ ସଡ଼କ ଦୁର୍ଘଟଣା ଭଳି ଦେଖାଇବାକୁ ଚେଷ୍ଟା କରିଥିଲା । ମୃତ ମହିଳାଙ୍କ ନାମ ନୀରଜ ଶର୍ମା ବୟସ ୪୫ ବର୍ଷ । ସେ ଜୟପୁର କୋର୍ଟରେ ଲୋୟର ଡିଭିଜନ କ୍ଲର୍କ ଭାବେ କାମ କରୁଥିଲେ । ପ୍ରାୟ ବର୍ଷେ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସହାନୁଭୂତିମୂଳକ ନିଯୁକ୍ତି ଆଧାରରେ ସେ ଏହି ଚାକିରି ପାଇଥିଲେ । ପୋଲିସ ତଦନ୍ତ ଅନୁଯାୟୀ, ଝିଅ ଆୟୁଷୀ ଶର୍ମା ଚାହୁଁଥିଲେ ଯେ ସେହି ସରକାରୀ ଚାକିରି ତାଙ୍କୁ ମିଳୁ । ଏହା ସହ ପରିବାରର ପ୍ରାୟ ୧୦ କୋଟି ଟଙ୍କାର ଜମି ଜାଗା ଉପରେ ମଧ୍ୟ ତାଙ୍କ ନଜର ଥିଲା । ପୋଲିସ ସୂତ୍ରରୁ ଜଣାପଡିଛି ଗତ ତିନି ମାସ ଧରି ଏହି ହତ୍ୟା ଷଡ଼ଯନ୍ତ୍ର ଚାଲିଥିଲା । ଆୟୁଷୀ ନିଜ ସମ୍ପର୍କୀୟ ଓ ଅନ୍ୟ ସହଯୋଗୀଙ୍କ ସହ ମିଶି ଯୋଜନା କରିଥିଲେ। ପ୍ରଥମେ ପ୍ରାୟ ଏକ ମାସ ପୂର୍ବରୁ ଏକ ଥାର୍ ଗାଡ଼ିରେ ମା’ଙ୍କୁ ଧକ୍କା ଦେଇ ହତ୍ୟା ଉଦ୍ୟମ କରାଯାଇଥିଲା । କିନ୍ତୁ ସେହି ଚେଷ୍ଟା ବିଫଳ ହୋଇଥିଲା । ଏହାପରେ ଜୁଲାଇ ୩ ତାରିଖରେ ଦ୍ୱିତୀୟ ଯୋଜନା କରାଯାଇଥିଲା। ପୋଲିସ ଅନୁଯାୟୀ, ସୁପାରି କିଲରମାନେ ଏକ ସ୍କର୍ପିଓ ଗାଡ଼ିରେ ଦ୍ରୁତ ଗତିରେ ଆସି ନୀରଜ ଶର୍ମାଙ୍କୁ ଧକ୍କା ଦେଇଥିଲେ ଯାହାଦ୍ୱାରା ଏହାକୁ ସାଧାରଣ ସଡ଼କ ଦୁର୍ଘଟଣା ବୋଲି ଦେଖାଯାଉ । କିନ୍ତୁ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଓ ପୋଲିସ ତଦନ୍ତରେ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ପଦାକୁ ଆସିଥିଲା । ଏହି ମାମଲାରେ ପୋଲିସ ଆୟୁଷୀ ଶର୍ମାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି । ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି। ପୋଲିସ କହିଛି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି । ଦୋଷ ପ୍ରମାଣିତ ହେଲେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Comment