ବ୍ରହ୍ମପୁର: ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ନୀଳକଣ୍ଠନଗରର ପରିସର ମଧ୍ୟରେ ଅନୁଷ୍ଠାନର ୪୦ତମ ବାର୍ଷିକୋତ୍ସବ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସର୍ବପ୍ରଥମେ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର କୁଳପତୀ କର୍ଣ୍ଣଲ୍ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଦୀପପ୍ରଜ୍ୱଳନ ପୂର୍ବକ ବନ୍ଦନା ପ୍ରାର୍ଥନା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଆଜିର ଶିଶୁ ଆଗାମି ଭାରତର ଭବିଷ୍ୟତ । ଭାରତୀୟ ଶିକ୍ଷା ପ୍ରଣାଳୀର ବିକାଶ ଦ୍ୱାରା ଶିଶୁମାନଙ୍କ କିଭଳି ସର୍ବାଙ୍ଗୀନ ବିକାଶ ସାଧିତ ହୋଇପାରୁଛି ତାହା ଉପରେ ଆଧାରିତ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ତତ୍ପଶ୍ଚାତ୍ ଅନୁଷ୍ଠାନର ପରିଚାଳନା ସମିତି ସମ୍ପାଦକ ନାରାୟଣ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହାପରେ ସମ୍ମାନିତ ଅତିଥି ଭେଷଜ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ଡ.ସଚ୍ଚିଦାନନ୍ଦ ମହାନ୍ତି, ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଓ ବ୍ରହ୍ମପୁର ଆଇଜରର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ସମାଜ ସେବାରେ ବ୍ରତୀ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ମୂଖ୍ୟ ବକ୍ତା ଭାବେ ଦୂରଦର୍ଶନ କେନ୍ଦ୍ରର ଅବସରପ୍ରାପ୍ତ ନିର୍ଦ୍ଦେଶକ ଡ.ସାନ୍ତନୁ କୁମାର ରଥ ଶିଶୁମାନଙ୍କ ଉପଯୋଗୀ ବହୁ ମୂଲ୍ୟବାନ ବୌଦ୍ଧିକ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସରସ୍ୱତୀ ଶିଶୁ ମନ୍ଦିରର ଶୈକ୍ଷିକ ପ୍ରଶାସକ ଉମାଧବ ମହାନ୍ତି, ସରସ୍ୱତୀ ଡିଗ୍ରୀ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ସୁବ୍ରତ ପାଣୀଗ୍ରାହୀ, ସରସ୍ୱତୀ ଡିଗ୍ରୀ ବିଦ୍ୟାମନ୍ଦିରର ଡିନ୍ ଡ. ବିବେକାନନ୍ଦ ପଣ୍ଡା, ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଜିବାନନ୍ଦ ତ୍ରିପାଠୀ, ସମ୍ପାଦକ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାମନ୍ଦିର ଅଧ୍ୟକ୍ଷ ଏସ୍. ମୋହନ ରାଓ ନିମନ୍ତ୍ରିତ ଅତିଥିମାନଙ୍କର ପରିଚୟ ପ୍ରଦାନ ସହ ସେମାନଙ୍କୁ ସମ୍ମାନିତ କରିଥିଲେ ।
ଶିଶୁମନ୍ଦିର ବିଭାଗର ପ୍ରଧାନାଚାର୍ଯ୍ୟ ଶୁରେଶ କୁମାର ଆଚାର୍ଯ୍ୟ ବିଦ୍ୟାଳୟର ବିଭିନ୍ନ କୃତିତ୍ୱ ବିଷୟ ସମ୍ବଳିତ ବାର୍ଷିକବିବରଣୀ ପାଠ କରିଥିଲେ । ଏହି ଅବସରରେ ଗତବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା ଏବଂ +୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରାଜ୍ୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ଏତଦ୍ ବ୍ୟତୀତ +୩ ବିଜ୍ଞାନ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ତତ୍ ସଙ୍ଗେ ସଙ୍ଗେ ୨୦୨୨-୨୩ରେ ବିଭିନ୍ନ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନର ଗୌରବକୁ ବହୁଗୁଣିତ କରିଥିବା ଯେପରିକି ମେଡିକାଲରେ ଓ ଓଜେଇଇ ରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ପରିଚାଳନା ସମିତିର ସଭାପତି ଡକ୍ଟର ଜିବାନନ୍ଦ ତ୍ରିପାଠୀ । ଶେଷରେ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବା ଯୋଗୁଁ ସମସ୍ତ ଅଭିଭାବକ, ଶିଶୁ ଭାଇଭଉଣୀ, ଅନୁଷ୍ଠାନର କାର୍ଯରତ ଗୁରୁଜୀ, ଗୁରୁମା ତଥା କର୍ମଚାରୀଙ୍କୁ ଧନ୍ୟବାଦାର୍ପଣ କରିଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ରଙ୍ଗମଞ୍ଚୀୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।