ନୂଆଦିଲ୍ଲୀ: ଭାରତର ନୂଆ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ। ରାଧାକ୍ରିଷ୍ଣନ ୪୫୨ ଖଣ୍ଡ ଭୋଟ ସହ ବିଜୟ ହାସଲ କରିଛନ୍ତି।ସେପ୍ଟେମ୍ବର ୯ ତାରିଖରେ ହୋଇଥିଲା ଉପରାଷ୍ଟ୍ରପତି ନିର୍ବାଚନ। ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଏବଂ ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ହୋଇଥିଲା କଡ଼ା ଟକ୍କର।ଉପରାଷ୍ଟ୍ରପତି ନିର୍ବାଚନରେ ମୋଟ ୭୮୮ ଜଣ ସାଂସଦଙ୍କ ମଧ୍ୟରୁ ୭୬୭ ଜଣ ଭୋଟ ଦେଇଥିଲେ। ସେଥିମଧ୍ୟରୁ ୭୫୨ଟି ଭୋଟ ବୈଧ ଥିଲା। ଏହି ନିର୍ବାଚନରେ ମତଦାନରୁ ବିରତ ରହିଥିଲା ବିଜେଡି। ସିପି ରାଧାକ୍ରିଷ୍ଣନଙ୍କ ସପକ୍ଷରେ ୪୫୨ଟି ଭୋଟ ପଡ଼ିଥିବା ବେଳେ ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ମିଳିଛି ମାତ୍ର ୩୦୦ ଖଣ୍ଡ ଭୋଟ। ଉପରାଷ୍ଟ୍ରପତି ନିର୍ବାଚନରେ ୯୮.୨ ପ୍ରତିଶତ ମତଦାନ ହୋଇଛି। ଭୋଟ ଗଣତି ପରେ ରାଜ୍ୟସଭା ମହାସଚିବଙ୍କ ପକ୍ଷରୁ ଫଳାଫଳ ଘୋଷଣା କରାଯାଇଛି।୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ତାମିଲନାଡୁରେ ସିପି ରାଧାକ୍ରିଷ୍ଣନଙ୍କ ଜନ୍ମ। ୨୦୨୪ ଜୁଲାଇ ମାସରେ ସେ ମହାରାଷ୍ଟ୍ରର ରାଜ୍ୟପାଳ ହୋଇଥିଲେ। ଏହାପୂର୍ବରୁ ସେ ତେଲାଙ୍ଗନା ଓ ଝାଡ଼ଖଣ୍ଡର ରାଜ୍ୟପାଳ ରହିଥିଲେ। ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ସଭାପତି ଥିଲେ ସିପି ରାଧାକ୍ରିଷ୍ଣନ।









