ଭୁବନେଶ୍ୱର: ଶୁକ୍ରବାର ରାଜଧାନୀ ୟୁନିଟ୍-୬ ଅଞ୍ଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ଆତଙ୍କୀ ଯୁବକଙ୍କୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ଗିରଫ କରିବା ପରେ ପୁଣି ଓଡ଼ିଶା ଆତଙ୍କବାଦୀଙ୍କର ଏକ ନିରାପଦ ଆଶ୍ରୟସ୍ଥଳ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ସ୍ପେଶାଲ୍ ବ୍ରାଞ୍ଚ ଗିରଫ କରି ସ୍ଥାନୀୟ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରିବା ପରେ ଟ୍ରାନ୍ଜିଟ୍ ରିମାଣ୍ଡରେ ଦିଲ୍ଲୀ ନେଇଯାଇଛି । ଏହି ଘଟଣା ପରେ କମିଶନରେଟ୍ ପୁଲିସ ଅଧିକ ସତର୍କ ହୋଇପଡ଼ିଛି । ଗିରଫ ହୋଇଥିବା ଯୁବକ ହେଲେ ମହମ୍ମଦ ଇମ୍ରାନ। ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ଇମ୍ରାନ ସୋସିଆଲ୍ ମିଡିଆରେ ଦେଶ ବିରୋଧୀ ପୋଷ୍ଟ କରୁଥିବା ସହ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ଥିଲେ। ତାଙ୍କର ଆତଙ୍କବାଦୀ ଲିଙ୍କ୍ ଥିବା ସନ୍ଦେହରେ ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ସମୟରେ ପୋଲିସ ତାଙ୍କ ପାଖରୁ ମୋବାଇଲ, ଲାପଟପ୍ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ପ୍ରମାଣ ଜବତ କରିଛି। ଗିରଫ ପରେ ଇମ୍ରାନଙ୍କୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ପରେ ଦିଲ୍ଲୀ ପୋଲିସର ବିଶେଷ ଦଳ ତାଙ୍କୁ ଦିଲ୍ଲୀକୁ ନେଇଯାଇଛି। ତେବେ ଏପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ଗିରଫ ସମ୍ପର୍କରେ ସବିଶେଷ ସୂଚନା ପ୍ରକାଶ କରାଯାଇନାହିଁ।









