ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ଅକ୍ଟୋବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ ୨୮ତମ )ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ-୨୦୨୫ (28th ITTF-ATTU Asian Table Tennis Team Championships 2025) ର ଆୟୋଜନ କରାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ମହାସଂଘ, ଭାରତୀୟ ଟେବୁଲ ଟେନିସ୍ ମହାସଂଘ, ଏସିଆନ୍ ଟେବୁଲ ଟେନିସ୍ ୟୁନିୟନ, ଓଡ଼ିଶା ଟେବୁଲ ଟେନିସ୍ ଆସୋସିଏସନ୍ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯିବ। ପ୍ରାୟ ୨୨ଟି ଦେଶ ଯଥା ଭାରତ, ଚୀନ, ଜାପାନ, କୋରିଆ ରିପବ୍ଲିକ, ଡେମୋକ୍ରାଟିକ ପିପୁଲ୍ସ ରିପବ୍ଲିକ ଅଫ କୋରିଆ, ତାଇୱାନ, ହଙ୍ଗକଙ୍ଗ, ସିଙ୍ଗାପୁର, ଚାଇନିଜ ମକାଓ, ବାଙ୍ଗଲାଦେଶ, ଇରାନ, କଜାକିସ୍ତାନ, କିର୍ଗୀସ୍ତାନ, ମାଲେସିଆ, ମାଲଦୀପ, ମଙ୍ଗୋଲିଆ, ନେପାଳ, ଓମାନ, କତାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଉଜବେକିସ୍ତାନରୁ ୫୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ, ସପୋର୍ଟ ଷ୍ଟାଫ ଆଦି ଅଂଶଗ୍ରହଣ କରିବେ। ଉଭୟ ପୁରୁଷ ଓ ମହିଳା ଟିମ୍ ଏହି ଚାମ୍ପିୟନସିପରେ ଅଂଶଗ୍ରହଣ କରିବେ। ଏହି ଚାମ୍ପିୟନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଟିମ୍ ଗୁଡ଼ିକ ଆଗାମୀ ଦିନରେ ଲଣ୍ଡନରେ ଆୟୋଜିତ ହେବାକୁ ଥିବା ଆଇଆଇଟିଏଫ ୱାର୍ଲଡ଼ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍-୨୦୨୬ ପାଇଁ ଯୋଗ୍ୟ ବିବେଚିତ ହେବେ।









