February 26, 2026 7:39 am

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା

ଭୁବନେଶ୍ୱର: ପ୍ରସ୍ତୁତ ହେଲା ଦୀର୍ଘ ମିଆଦୀ ଯୋଜନା । ରାଜ୍ୟରେ ୮୦୦ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ନୂଆଦିଲ୍ଲୀ ଗସ୍ତବେଳେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି, ଓଡ଼ିଶାର ବିଭିନ୍ନ ଦାବି ଜଣାଇଥିବା ଖବର ମିଳିଛି । ପ୍ରାକୃତିକ ଅଞ୍ଚଳ ନିକଟରେ ଥିବା ବିଦ୍ୟାଳୟ ନିକଟରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ବହୁମୁଖୀ କରାଯିବ । ଯଦ୍ୱାରା ବିପର୍ଯ୍ୟୟ ବେଳେ ତାହାକୁ ଆଶ୍ରୟସ୍ଥଳୀଭାବେ ବ୍ୟବହାର କରାଯିବ ଏବଂ ଅନ୍ୟ ସମୟରେ ସାମାଜିକ କାର୍ଯ୍ୟରେ ବ୍ୟବହାର ହେବ । ଫଳରେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ଅବହେଳିତ ଅବସ୍ଥାରେ ରହିବ ନାହିଁ । ଖାଲି ସେତିକି ନୁହେଁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ନିରବର୍ଚ୍ଛିନ ବିଜୁଳି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ବାତ୍ୟା-ବନ୍ୟା ସମୟରେ ଶକ୍ତି ବିଭାଗ କ୍ଷତିଗ୍ରସ୍ତ ହେଉଛି । ଲମ୍ବା ସମୟ ପର୍ଯ୍ୟନ୍ତ ବିଜୁଳି କାଟ୍ ହେଉଛି । ଓଡ଼ିଶାରେ ମୁଖ୍ୟତଃ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଜୁଳି ଅଣ୍ଡର ଗ୍ରାଉଣ୍ଡ କରିବା ପାଇଁ ସାଢ଼େ ୭ ହଜାର କୋଟି ପ୍ରାଥମିକ ସ୍ତରରେ ଖର୍ଚ୍ଚ ହେବ ସେଥିପାଇଁ ଆଲୋଚନା ହୋଇଛି । ଏହାସହ ପ୍ରଭାବିତ ଅଞ୍ଚଳରେ ବାରମ୍ବାର ଘର ନଷ୍ଟ ହେଉଛି । ତାର ଖର୍ଚ୍ଚ ବୃଦ୍ଧି ପାଇଁ ଯୋଜନା ହେଉଛି । ଲ୍ୟାଣ୍ଡ ସେଟଲମେଣ୍ଟକୁ ନେଇ ବହୁ ସମସ୍ୟା ଅଛି, ଜମିଜମା ମାମଲାର ନିଖୁଣ ସମାଧାନ ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି  । FCIର ସମସ୍ୟା ଅଛି ସେ ବାବଦରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି  ବୋଲି ମନ୍ତ୍ରୀ କହିଛନ୍ତି ।