June 26, 2025 2:41 pm

ସୁପ୍ରିମ୍‌ କୋର୍ଟ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନକୁ ଅଟକାଇବାକୁ ମନା କଲେ  

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଙ୍କୁ ବାଦ୍‌ ଦେଇ ଗଠିତ ଏକ ପ୍ୟାନେଲ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଏକ ନୂତନ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ଆବେଦନର ଏକତ୍ର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନକୁ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି।

ନୂଆ ଆଇନ ଉପରେ ରୋକ୍‌ ଲଗାଇବାକୁ ଆବେଦନ କରିଥିବା କଂଗ୍ରେସ ନେତ୍ରୀ ଜୟା ଠାକୁରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂହଙ୍କୁ ଖଣ୍ଡପୀଠ ଏହି ଆବେଦନର ନକଲ କେନ୍ଦ୍ରର ଓକିଲଙ୍କୁ ପ୍ରଦାନ କରିବାକୁ କହିଛନ୍ତି।
ତେବେ, ଏହି ଆଇନକୁ ସ୍ଥଗିତ ରଖିବାକୁ କୋର୍ଟ ମନା କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ଏବଂ କେନ୍ଦ୍ରକୁ ନୋଟିସ୍‌ ଜାରି କରିବେ ବୋଲି କହିଛନ୍ତି। ‘ଆମେ ଆଇନଗତ ସଂଶୋଧନ ଉପରେ ରୋକ୍‌ ଲଗାଇପାରିବୁ ନାହିଁ’ ବୋଲି ଜଷ୍ଟିସ୍‌ ଖାନ୍ନା କହିଛନ୍ତି।

ସିଇସି ଓ ନିର୍ବାଚନ କମିଶନର ଚୟନ ପାଇଁ କ୍ଷମତାପ୍ରାପ୍ତ ପ୍ୟାନେଲରୁ ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦେବା ନେଇ ବିବାଦ ଲାଗି ରହିଥିବା ବେଳେ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ୍‌ ଦାଖଲ ହୋଇଛି। ସିଇସି ଓ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଏକ ନିରପେକ୍ଷ ଓ ସ୍ୱାଧୀନ ଚୟନ କମିଟି ଗଠନ କରି ସ୍ୱାଧୀନ ଓ ସ୍ୱଚ୍ଛ ଚୟନ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଲୋଡ଼ାଯାଇଛି।

ନୂଆ ଆଇନରେ କୁହାଯାଇଛି, ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟାନ୍ୟ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଚୟନ କମିଟିର ସୁପାରିସ କ୍ରମେ ନିଯୁକ୍ତ କରିବେ। ଏହି କମିଟିର ସଦସ୍ୟଭାବେ ଗୃହରେ ବିରୋଧୀ ଦଳ ନେତା ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ରହିବେ।

ପ୍ରଧାନ ବିଚାରପତିଙ୍କୁ ଚୟନ କମିଟିରୁ ବାଦ୍‌ ଦେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବମାନନା କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ମାର୍ଚ୍ଚ ୨୦୨୩ରେ ସୁପ୍ରିମ୍‌କୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ସିଇସି ଏବଂ ଇସି ଚୟନ କରିବେ।