ସୁପ୍ରିମକୋର୍ଟ ପରିସରରେ ସୋମବାର ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଜଣେ ବରିଷ୍ଠ ଓକିଲ ରାକେଶ କିଶୋର (୬୦) ପ୍ରଧାନ ବିଚାରପତି ବିଆର ଗବାଇଙ୍କ ଉପରକୁ ଜୋତା ଫିଙ୍ଗିଥିବା ନେଇ ସୂଚନା ମିଳିଛି। ଆଜି ପ୍ରଧାନ ବିଚାରପତି ବିଆର ଗବାଇ ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି କରୁଥିଲେ । ଏହି ସମୟରେ ରାକେଶ କିଶୋର ନାମରେ ଜଣେ ଓକିଲ ପ୍ରଥମେ ଟେବୁଲ ବାଡ଼େଇଥିଲେ । ଟେବୁଲଟି ତଳେ ପଡ଼ିଯାଇଥିଲା । ଏହା ପରେ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିବା କୁହାଯାଉଛି । ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ତୁରନ୍ତ ତାଙ୍କୁ କାବୁ କରି ନେଇଥିଲେ । ଓକିଲଙ୍କୁ ତୁରନ୍ତ ପୋଲିସ ହେପାଜତକୁ ନିଆଯାଇଛି । ବାହାରକୁ ବାହାରି ଯାଉଥିବା ସମୟରେ ସମ୍ପୃକ୍ତ ଓକିଲ କହିଛନ୍ତି, ‘ସନାତନର ଅପମାନ ସହିବୁ ନାହିଁ’ କହିଥିବା ଜଣାପଡ଼ିଛି । ପରେ ମୁଖ୍ୟ ନ୍ୟାୟଧୀଶ ନିଜର ଶୁଣାଣି କାର୍ଯ୍ୟ ଜାରି ରଖିଲେ ଏବଂ ଏଥିରୁ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି । ଅଭିଯୁକ୍ତ ରାକେଶ କିଶୋର ୨୦୧୧ରେ ସୁପ୍ରିମକୋର୍ଟରେ ପଞ୍ଜିକରଣ କରିଥିଲେ । ତାଙ୍କ ନିକଟରେ ସୁପ୍ରିମକୋର୍ଟ ପ୍ରବେଶ ପତ୍ର ମଧ୍ୟ ଅଛି । ତେବେ ସେ କାହିଁକି ଏଭଳି ଆକ୍ରମଣ ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଜେରା ଜାରି ରଖିଛି ।









