ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ହେଲାଣି ବିଭିନ୍ନ ପୋଷ୍ଟ ଅଫିସରେ ଅଚଳାବସ୍ଥା ଲାଗି ରହିଛି। ଧାଡ଼ିରେ ଠିଆ ହୋଇ ଅତିଷ୍ଠ ହେଲେଣି ଗ୍ରାହକ । ବିଭିନ୍ନ ଡାକଘରେ ଲାଗିଛି ଲିଙ୍କ୍ ଫେଲ୍ର ଫଳକ । ତେବେ ରାଖୀ ପାଇଁ ଭାରତୀୟ ଡାକ ସେବା ପକ୍ଷରୁ ରାଜ୍ୟରେ ନୂଆ ସଫ୍ଟୱେୟାର ଲଞ୍ଚ୍ ହୋଇଥିଲା । ଫଳରେ ସେ ସମୟରେ ସମସ୍ୟା ହେଉଥିଲା । ଲୋକମାନେ ଭାବୁଥିଲେ ରାଖୀ ପରେ ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ସପ୍ତାହରୁ ଅଧିକ ହୋଇ ଯାଇଥିଲେ ମଧ୍ୟ ସମାନ ସମସ୍ୟା ଲାଗି ରହିଛି ତେଣୁ ସ୍ଥାୟୀ ସମାଧାନ ପାଇଁ ଡାକସେବା ଅଧିକାରୀ ଚିନ୍ତା କରନ୍ତୁ ବୋଲି ସାଧାରଣ ଲୋକ ଅନୁରୋଧ କରିଛନ୍ତି । ରାଜଧାନୀ ଭୁବନେଶ୍ୱରର ଭିନ୍ନଭିନ୍ନ ପୋଷ୍ଟ ଅଫିସକୁ ଦୌଡ଼ିବା ପରେ ଶେଷ ଭରସା ଭାବେ ପ୍ରଧାନ ଡାକଘର ତଥା ଜେନେରାଲ ପୋଷ୍ଟ ଅଫିସକୁ ଆସିବାକୁ ବାଧ୍ୟ ହେଉଛନ୍ତି । ଦୂର ଦୂରାନ୍ତରୁ ଆସି ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ରହୁଥିଲେ ବି ଦିନକରେ କାମ ଛିଣ୍ଡୁନି । ତେଣୁ ଆଉ ଗୋଟିଏ ଦିନ ପୁଣି ଆସିବାକୁ ପଡ଼ୁଛି । ସ୍ପିଡ୍ ପୋଷ୍ଟ ହେଉ ବା ଟଙ୍କା ଡିପୋଜିଟ୍ ଓ ଉଠାଣ ପାଇଁ ଧାଡ଼ିବାନ୍ଧି ଠିଆ ହେବାକୁ ପଡୁଛି । ରାଜ୍ୟର ଅନ୍ୟାନ୍ୟ ମୁଖ୍ୟ ପୋଷ୍ଟ ଅଫିସରେ ମଧ୍ୟ ଗ୍ରାହକଙ୍କ ଭିଡ଼ । ପୋଷ୍ଟ ଅଫିସରେ ଦେଖିବାକୁ ମିଳୁଛି ଗ୍ରାହକଙ୍କ ଲମ୍ବା ଲାଇନ୍ ଗୋଟିଏ କାମ ସରିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏପଟେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁ ଥିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି ।









