ହାଇଦ୍ରାବାଦ: ଦକ୍ଷିଣ ଭାରତର ସିନେମାରେ ଦୀର୍ଘ ଦିନ ଧରି ରାଜୁତି କରୁଥିବା ସୁପରଷ୍ଟାର ମହେଶ ବାବୁ ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତାମାନଙ୍କ ମଧ୍ୟରୁ ଜଣେ। ମାତ୍ର ୪ ବର୍ଷ ବୟସରେ ‘ନିଡା’ ଚଳଚ୍ଚିତ୍ରରୁ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଖୁବ୍ କମ୍ ଲୋକ ଏହା ଜାଣନ୍ତି ଯେ ମହେଶ ବାବୁ ଅଭିନୟ ଜୀବନ ତାଙ୍କ ପିତା ଘଟ୍ଟମନେନି ଶିବା ରାମ କୃଷ୍ଣ ମୂର୍ତ୍ତିଙ୍କ ଫିଲ୍ମରୁ ଆରମ୍ଭ କରିଥିଲେ। ତେବେ ଶିଶୁ କଳାକାର ଭାବେ ଅଭିନୟ ଜୀବନ ଆରମ୍ଭ କରିଥିବା ମହେଶ ବାବୁ ଏବେ କେତେ କୋଟିର ମାଲିକ ଆପଣ ଜାଣନ୍ତି କି?
ଜାତୀୟ ଗଣମାଧ୍ୟମ ମୁତାବକ, ମହେଶ ବାବୁ ୨୫୬କୋଟିର ମାଲିକ। ଫିଲ୍ମ ସହ ବିଜ୍ଞାପନ ଓ ନିବେଶରୁ ମହେଶ ବାବୁ କୋଟି କୋଟି ଟଙ୍କା ଆୟ କରନ୍ତି। ପ୍ରଥମେ ଗୋଟାଏ ଫିଲ୍ମ ପାଇଁ ମହେଶ ୪୦କୋଟି ନେଉଥିବା ବେଳେ ଏବେ ତାଙ୍କ ପାରିଶ୍ରମିକ ୮୦କୋଟିରୁ ଅଧିକ ହୋଇଛି। ୨୫୬କୋଟିର ମାଲିକ ହୋଇସାରିଥିବା ମହେଶଙ୍କ ପାଖରେ ମର୍ସେଡିଜ୍, ବିଏମଡବ୍ଲୁ ଓ ଅଡି ଭଳି ବିଳାସପୂର୍ଣ୍ଣ ଗାଡ଼ି ରହିଛି।
୨୦୨୨ରେ ବଲିଉଡକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ମହେଶ। ଅଦିବି ଶେଷଙ୍କ ଫିଲ୍ମ ‘ମେଜର’ର ଟ୍ରେଲର ଲଞ୍ଚ ସମୟରେ ହିନ୍ଦୀ ଚଳଚ୍ଚିତ୍ରର ଅଫର ମିଳିଛି କି ବୋଲି ପ୍ରଶ୍ନ କରାଯିବା ପରେ ମହେଶ ବାବୁ କହିଥିଲେ ଯେ, “ମୋତେ ବଲିଉଡର ଅନେକ ଫିଲ୍ମ ଅଫର କରାଯାଇଛି। ହେଲେ ମୁଁ ସେସବୁ ଫିଲ୍ମ କରିବାକୁ ମନା କରିଦେଇଛି। କାରଣ ମୋତେ ଲାଗୁନାହିଁ ସେମାନେ ମୋତେ ପାରିଶ୍ରମିକ ଦେଇପାରିବ। ମୁଁ ଏମିତି ଏକ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁ ନାହିଁ ଯିଏ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ। ମୋତେ ଏଠାରେ ମିଳିଥିବା ଷ୍ଟାରଡମ୍ ଏବଂ ପ୍ରତିଷ୍ଠା ମୋ ପାଇଁ ବହୁତ ବଡ। ସେଥିପାଇଁ ମୁଁ ମୋର ଇଣ୍ଡଷ୍ଟ୍ରି ଛାଡି ଅନ୍ୟ କୌଣସି ଇଣ୍ଡଷ୍ଟ୍ରିର ଅଂଶ ହେବାକୁ ଚିନ୍ତା କରି ନାହିଁ। ମୁଁ ସବୁବେଳେ ଚଳଚ୍ଚିତ୍ର କରିବା ଏବଂ ବଡ ହେବା ବିଷୟରେ ଚିନ୍ତା କରେ। ମୋର ସ୍ୱପ୍ନ ବର୍ତ୍ତମାନ ସାକାର ହେଉଛି ଏବଂ ଏହାଠାରୁ ମୁଁ ଅଧିକ ଖୁସି ହୋଇପାରିବି ନାହିଁ।”