December 6, 2025 11:04 am

ନିଶା ନିବାରଣ କେନ୍ଦ୍ରରେ ଅଘଟଣ: ଯୁବକ ମୃତ

କଟକ: ମାନସିକ ଦୁଶ୍ଚିନ୍ତାରେ ଥିଲେ ସୌମ୍ୟ । ସେଥିପାଇଁ ସେ ମାନସିକା ଚାପରୁ ମୁକ୍ତ ହେବାକୁ ନିଶା ନିବାରଣ କେନ୍ଦ୍ରକୁ ଆସିଥିଲେ । ଶେଷରେ ଯୁବକ ଜଣକ ଶବ ହୋଇ ଫେରିଛନ୍ତି । ପୁଅକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପରିବାର ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । କଟକ ସଦର ଥାନା ଉତ୍ତମାପୁରରେ ଥିବା ସଂପର୍କ ନିଶାମୁକ୍ତି କେନ୍ଦ୍ର ବିରୋଧରେ ଏଭଳି ଅଭିଯୋଗ ଆସିଛି । ମୃତ ଯୁବକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲାର । ମୃତ ଯୁବକଙ୍କ ବାପାଙ୍କ କହିବା ଅନୁସାରେ, ତାଙ୍କ ପୁଅ ଜଣେ ଉଚ୍ଚ ଶିକ୍ଷିତ ଥିଲେ । ସେ ବମ୍ବେରେ ଚାକିରି କରୁଥିବାବେଳେ ୩ ମାସ ପୂର୍ବରୁ ଘରକୁ ପଳାଇଆସିଥିଲେ । ସେ ମାନସିକ ଚାପରେ ରହୁଥିଲେ । ସେଥିପାଇଁ ପରିବାର ଲୋକେ ତାଙ୍କୁ ୨ ମାସ ପୂର୍ବରୁ ସଂପର୍କ ନିଶା ମୁକ୍ତି କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ମାନସିକ ଚାପରେ ରହୁଥିବା ବ୍ୟକ୍ତିଙ୍କ ୱାର୍ଡରେ ତାଙ୍କୁ ରଖାଯାଇଥିଲା । ସେ କୌଣସି ମଦ୍ୟପାନ କରନ୍ତି ନାହିଁ କିମ୍ବା ଆମିଷ ମଧ୍ୟ ଖାଆନ୍ତି ନାହିଁ । କେବଳ ମାନସିକ ଅବସାଦରୁ ତାଙ୍କୁ ଭଲ କରିବାକୁ ସେଠାରେ ରଖିଥିଲେ ।

ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ। ଅନ୍ୟ ଅନ୍ତେବାସୀ ଗାମୁଛାରେ ତାଙ୍କ ବେକକୁ ଚିପି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସଦର ଥାନା ପୋଲିସ ମୃତ ଦେହକୁ ଜବତ କରିବା ସହିତ ୪ଜଣ ଅନ୍ତେବାସୀଙ୍କୁ ଅଟକ ରଖି ପଚରାଉଚରା କରିଛି ।