December 6, 2025 2:48 pm

ଲୋୟର ପିଏମଜିରେ ବିଜେଡି କର୍ମୀଙ୍କୁ ଟେକିନେଲା ପୋଲିସ

ଭୁବନେଶ୍ୱର: ବାଲେଶ୍ୱର ଠାରୁ ଭୁବନେଶ୍ୱର ସବୁଠି ବିରୋଧର ସ୍ୱର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ୱର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ସହ ମୁହାଁମୁହିଁ ହୋଇଥିଲେ । ବ୍ୟାରିକେଡ୍ ଡେଇଁ ଧସେଇ ପସିବା ବେଳେ ଦୁଇ ଜଣ ବିଜେଡି ନେତା ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେଡି ନେତା ପ୍ରିତି ରଞ୍ଜନ ଘଡାଇ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଥିସହିତ ବବି ଦାସଙ୍କ ସହ ଅନ୍ୟ କିଛି ବିଜେଡି ନେତା ମଧ୍ୟ ଆହତ ହୋଇଛନ୍ତି । ଏହାସହ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସ ପାଣିମାଡ଼ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ପୋଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ବେଳେ ଟିୟର ଗ୍ୟାସ ମାଡ଼ରେ ବବି ଦାସ ଆହତ ହୋଇଛନ୍ତି । ତାଙ୍କ ଗୋଡ଼ରେ ଟିୟର ଗ୍ୟାସ ବାଜିଥିବା ସୂଚନା । ସେପଟେ ସୁଲତା ଦେଓ ମଧ୍ୟ ଆହତ ହୋଇ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଇଛନ୍ତି ।

ସେପଟେ ବିଜେଡି ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ମାମଲାରେ ଆଜି ବାଲେଶ୍ଵର ବନ୍ଦ କରିଛି ବିଜେଡି । ବିଜେଡି ଏହି ଆନ୍ଦୋଳନକୁ ଜୋରଦାର କରିବା ସହ ବାଲେଶ୍ଵରରୁ ଆରମ୍ଭ କରିଛି ଅଭିଯାନ । ଆଜି ସକାଳ ୬ଟାରୁ ଦିବା ୨ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବାଲେଶ୍ଵରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛି ବିଜେଡି ।