February 26, 2026 3:27 am

ସୋଆ ପକ୍ଷରୁ ପ୍ରଥମ ପୁଷ୍ପ ଉତ୍ସବ ଆୟୋଜିତ

ବନେଶ୍ୱର: ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ ଜାନୁଆରୀ ୧୯ ଓ ୨୦ ତାରିଖରେ ଦୁଇ ଦିନ ଧରି ସୋଆ କ୍ୟାମ୍ପସ -୪ କୃଷି ମହାବିଦ୍ୟାଳୟ ପରିସରରେ ଏହି ପୁଷ୍ପ ଉତ୍ସବର ଆୟୋଜନ କରାଯାଉଛି । ପୁଷ୍ପ ଉତ୍ସବର ପ୍ରଥମ ଦିବସରେ ଭିନ୍ନ ଭିନ୍ନ ଫୁଲର ପ୍ରଦର୍ଶନୀ ସହ ଫୁଲକୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ଦ୍ୱିତୀୟ ଦିବସରେ ଫୁଲ ଚାଷର ବୈଜ୍ଞାନିକ ପ୍ରଣାଳୀ, ଫୁଲ ଚାଷ ନିମନ୍ତେ ସରକାରଙ୍କ ପକ୍ଷରୁ ମିଳୁଥିବା ପ୍ରୋତ୍ସାହନ, ବ୍ୟାଙ୍କରୁ ମିଳୁଥିବା କୃଷି ଋଣ ତଥା ପୁଷ୍ପ ଉଦ୍ୟୋଗୀକରଣ ସମ୍ପର୍କିତ ଆଲୋଚନାଚକ୍ରରେ ବିଶିଷ୍ଟ ପୁଷ୍ପ ବିଜ୍ଞାନୀ, ବ୍ୟାଙ୍କ ଅଫିସର, ଉଦ୍ୟାନ ନିର୍ଦ୍ଦେଶାଳୟ ଏବଂ ସଫଳ ପୁଷ୍ପ ଉଦ୍ୟୋଗୀ ଯୋଗ ଦେବେ ଯାହା ଫୁଲ ଚାଷୀମାନଙ୍କୁ କୃଷି କ୍ଷେତ୍ରରେ ଅନେକ ପ୍ରେରଣା ଯୋଗାଇବ ବୋଲି ସୋଆ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ଆଶା ବ୍ୟକ୍ତ କରିଛନ୍ତି । ସୋଆର ଏହି ପ୍ରଥମ ପୁଷ୍ପ ଉତ୍ସବରେ କେବଳ କୃଷକମାନଙ୍କୁ ନୁହେଁ, ଏଥିରେ ଆୟୋଜିତ ହେବାକୁ ଥିବା ଭିନ୍ନ ଭିନ୍ନ ପ୍ରତିଯୋଗିତା ଛାତ୍ରଛାତ୍ରୀ, ସାଧାରଣ ଗୃହିଣୀ, ଫୁଲପ୍ରେମୀ, ପୁଷ୍ପ ଉତ୍ପାଦକମାନଙ୍କୁ ମଧ୍ୟ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ପୁଷ୍ପ ମହୋତ୍ସବର ପରିଚାଳିକା, ପୁଷ୍ପ ଓ ଭୂଭାଗ ଦୃଶ୍ୟ ଉଦ୍ୟାନ ବିଭାଗର ମୁଖ୍ୟ ପ୍ରଫେସର ଶଶୀକଳା ବେଉରା ମତ ଦେଇଛନ୍ତି । ଏହି ଉତ୍ସବରେ ପୁଷ୍ପ ପ୍ରଦର୍ଶନୀ ନିମନ୍ତେ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଯୋଗଦାନ ପାଇଁ ଏବଂ ପୁଷ୍ପ ସମ୍ବନ୍ଧିତ ଆଲୋଚନାରେ ଭାଗ ନେବା ପାଇଁ ଫୁଲ ଚାଷୀ, ଫୁଲ ଉଦ୍ୟୋଗୀ, ବିଭିନ୍ନ ନର୍ସରୀ, ଅନୁଷ୍ଠାନ ଓ ଫୁଲ ପ୍ରେମୀମାନଙ୍କୁ ଆହ୍ୱାନ କରାଯାଉଛି ।