February 26, 2026 10:17 am

ସ୍ମୃତି ମନ୍ଧାନାଙ୍କ ଅବିସ୍ମରଣୀୟ ବିରଳ ରେକର୍ଡ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ଙ୍କ ବିରଳ ରେକର୍ଡ । କୌଣସି ପୁରୁଷ କିମ୍ବା ମହିଳା କ୍ରିକେଟର ଯେଉଁ ରେକର୍ଡ କରି ପାରି ନଥିଲେ, ତାହା ସ୍ମୃତି ମନ୍ଧାନା କରି ଦେଖାଇଛନ୍ତି। ମାତ୍ର ୫୦ଟି ବଲରେ ଶତକ ହାସଲ କରିଛନ୍ତି ସ୍ମୃତି ମନ୍ଧାନା। ତାଙ୍କ ପୂର୍ବରୁ ଦିନିକିଆ କ୍ରିକେଟରେ କୌଣସି ଭାରତୀୟ(ଉଭୟ ପୁରୁଷ ଓ ମହିଳା) ଏପରି ଦ୍ରୁତତମ ଶତକ ହାସଲ କରି ନଥିଲେ। ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ରନ ବର୍ଷା କରିଛି ସ୍ମୃତିଙ୍କ ବ୍ୟାଟ। ସେ ମାତ୍ର ୫୦ଟି ବଲରେ ଶତକ ହାସଲ କରିଛନ୍ତି। ଶତକ ପରେ ସେ ଆହୁରି ବଡ଼ ଶଟ ଖେଳି ଶେଷରେ ୬୩ ବଲରେ ୧୨୫ ରନ କରି ଆଉଟ ହୋଇଛି। ଏହି ଇନିଂସରେ ତାଙ୍କ ବ୍ୟାଟରୁ ୧୭ଟି ଚୌକା ଓ ୫ଟି ଛକା ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଗ୍ରେସ ହାରିଶ ତାଙ୍କ ୱିକେଟ ଦଖଲ କରିଛନ୍ତି। ଅଷ୍ଟ୍ରେଲିଆ ଦେଇଥିବା ୪୧୩ ରନର ବିଶାଳ ଟାର୍ଗେଟକୁ ପିଛା କରିବା ବେଳେ ସ୍ମୃତି ୧୨୫ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏହାପୂର୍ବରୁ ଭାରତ ପାଇଁ ଦିନିକିଆରେ ଦ୍ରୁତତମ ଶତକ ହାସଲ କରିବା ତାଲିକାରେ ବିରାଟ କୋହଲି ରହିଥିଲେ। ସେ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ୫୨ଟି ବଲରେ ଶତକ କରିଥିଲେ । ତାଙ୍କ ପଛକୁ ରହିଛନ୍ତି ବୀରେନ୍ଦ୍ର ସେହୱାଗ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ହାମିଲଟନରେ ୬୦ ବଲରେ ସେ ଶତକ ମାରିଥିଲେ। ହେଲେ ଏବେ ଏହି ଦୁଇ ଜଣଙ୍କୁ ମନ୍ଧାନା ପଛରେ ପକାଇ ଦେଇଛନ୍ତି।