February 26, 2026 2:24 am

ସରକାରୀ ମିଟରରୁ ଭଡ଼ା ଆଦାୟ ବେଆଇନ: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି

ଭୁବନେଶ୍ୱର: ସ୍ମାର୍ଟମିଟର ନାଁରେ ରାଜ୍ୟରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି। ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ନୋଟିସ୍‌ ସହିତ ଘରେ ସ୍ମାର୍ଟମିଟର ଜୋରଜବରଦସ୍ତି ବସାଯାଉଛି। ଗରିବ ଲୋକଙ୍କ ଘରେ ସରକାରୀ ମିଟର ବସାଯାଇଥିବା ବେଳେ ବେଆଇନ ଭାବେ ୩୦୦ ଟଙ୍କା ଆଦାୟ କରାଯାଇଛି। କେବଳ ସୌଭାଗ୍ୟ ଓ ଆଇପିଡିଏସ୍‌ ଯୋଜନାରେ ୨୦୨୦ମସିହାରୁ ଟାଟା ପାୱାରର ଚାରୋଟି ବିଦ୍ୟୁତ୍‌ ବିତରଣ କମ୍ପାନି ବେଆଇନ ଭାବେ ମିଟର ଭଡ଼ା ଆଦାୟ କରିଚାଲିଛି। ଏ ସଂକ୍ରାନ୍ତରେ ଉପଭୋକ୍ତା ମହାସଂଘ ବାରମ୍ବାର ଓଇଆର୍‌ସିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଇଯାଇ ନାହିଁ। ଟିପିସିଓଡିଏଲ୍ ଯେଉଁ ତଥ୍ୟ ପ୍ରଦାନ କରିଛି ସେଥିରେ ଏପ୍ରିଲ ୨୦୨୪ ଠାରୁ ସେମାନେ ଆଉ ମିଟର ଭଡ଼ା ଆଦାୟ କରି ନାହାନ୍ତି। ମାର୍ଚ୍ଚ ୨୦୨୪ ସୁଦ୍ଧା ୧୮କୋଟି ୬୮ଲକ୍ଷ ଟଙ୍କା ଆଦାୟ କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି। ଆଇପିଡିଏସ୍‌ ମିଟରରୁ ୨୦୦୧୯୫ଜଣ ଉପଭୋକ୍ତାଙ୍କଠାରୁ ୧୧କୋଟି ୫୫ଲକ୍ଷ ଟଙ୍କା ଆଦାୟ କରିଛନ୍ତି। ସୌଭାଗ୍ୟ ଯୋଜନାର ୧୭୫୧୮୮ ଉପଭୋକ୍ତାଙ୍କଠାରୁ ୭କୋଟି ୧୩ଲକ୍ଷ ଟଙ୍କା ମିଟର ଭଡ଼ା ଆଦାୟ କରିଛନ୍ତି। କେବଳ ଟିପିସିଓ ଡିଏଲ୍‌ରେ ଯଦି ଏତିକି ଆଦାୟ ହୋଇଛି ତେବେ ଦୀନଦୟାଲ ଯୋଜନା, ରାଜୀବଜ୍ୟୋତି, ବିଜୁଜ୍ୟୋତି ଭଳି ଅନେକ ସରକାରୀ ଯୋଜନାରେ ଟିପିଏନ୍‌ଓଡିଏଲ୍, ଟିପିଏସ୍‌ଓଡିଏଲ୍, ଟିପିଡବ୍ଲ୍ୟୁଓଡିଏଲ୍ ଭଳି ତିନୋଟି କମ୍ପାନି ପ୍ରାୟ ୩୦୦କୋଟି ଟଙ୍କା ହରିଲୁଟ କରିଛନ୍ତି l ଜାଲିଆତି କରି ପଇସା ଆଦାୟ ପାଇଁ ଟାଟା କର୍ତ୍ତୃପକ୍ଷଙ୍କୁ ଗିରଫ ସହ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକ ସମ୍ମିଳନୀରେ ଉପଭୋକ୍ତା ମହାସଂଘ ସଭାପତି ରମେଶ ଚନ୍ଦ୍ର ଶତପଥୀ, ସାଧାରଣ ସମ୍ପାଦକ ପ୍ରସନ୍ନ ବିଷୋୟୀ, ସମ୍ପାଦକ ଲଲାଟେନ୍ଦୁ ଦୀକ୍ଷିତ, ଅକ୍ଷୟ ଆଚାର୍ଯ୍ୟ କହିଛନ୍ତି। ପରିସ୍ଥିତିର ସମୀକ୍ଷା ନ କରି ରାଜ୍ୟ ସରକାର ୭୩୫କୋଟି ଟଙ୍କା ଟାଟା ପାୱାରକୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି l ଏହା ବିଦ୍ୟୁତ୍ ଅଧିକାର ଆଇନର ବିରୋଧୀ ବୋଲି ଉପଭୋକ୍ତା ମହାସଂଘ ଦାବି କରିଛନ୍ତି।