December 6, 2025 10:45 am

ସାଇଲେନ୍ସ ଆୱାର ପାଇଁ ଗାଇଡଲାଇନ୍ ଜାରି

ନୂଆପଡା : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର ଏସ ଗୋପାଳନ , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ପ୍ରମୋଦ ସାହୁ ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀପ୍ରସାଦ ସାହୁ ଶୁକ୍ରବାର ଦିନ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଉପନିର୍ବାଚନରେ ଭୋଟରଙ୍କୁ ନିରପେକ୍ଷ ନିଷ୍ପତ୍ତି ନେବା ପାଇଁ ସୁଯୋଗ ଦେବା ନିମନ୍ତେ ନିର୍ବାଚନ ଆୟୋଗ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି । ୧୧ତାରିଖରେ ଭୋଟଗ୍ରହଣ ଶେଷ ହେବାର ୪୮ଘଣ୍ଟା ପୂର୍ବରୁ ଅର୍ଥାତ୍ ନଭେମ୍ବର ୯ତାରିଖ ଅପରାହ୍ନ ୪ଟାରୁ ସମଗ୍ର ନୂଆପଡ଼ା ବିଧାନସଭା ମଣ୍ଡଳୀରେ ‘ସାଇଲେନ୍ସ ଆୱାର’ ଆରମ୍ଭ ହେବ । ଏହି ନିରବ ଅବଧି ଆରମ୍ଭ ହେବା ପୂର୍ବରୁ ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟକୁ ଶେଷ କରିବାକୁ ରାଜନୀତିକ ଦଳ ଓ ପ୍ରାର୍ଥୀମାନଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି ।ଯେଉଁମାନେ ନୂଆପଡ଼ା ବିଧାନସଭା ମଣ୍ଡଳୀର ଭୋଟର କିମ୍ବା ସ୍ଥାନୀୟ ଅଧିବାସୀ ନୁହଁନ୍ତି ସେମାନଙ୍କୁ ୯ତାରିଖ ଅପରାହ୍ନ ୪ଟା ପୂର୍ବରୁ ଉକ୍ତ ଅଂଚଳ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରାହ୍ନ ୪ଟାରେ ପ୍ରଚାର ଅବଧି ଶେଷ ହେବାପରେ ବାହାର ଲୋକ ରହିବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ଏହି ନିୟମକୁ କଡ଼ାକଡ଼ି ଯାଂଚ କରିବା ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ କଲ୍ୟାଣ ମଣ୍ଡପ, କମ୍ୟୁନିଟି ହଲ୍‌, ଲଜ୍‌, ଗେଷ୍ଟ ହାଉସ ଓ ହୋଟେଲଗୁଡ଼ିକ ମଧ୍ୟ ଯାଂଚ କରାଯିବ । ସେହିପରି ସୀମାବର୍ତ୍ତୀ ଅଂଚଳରେ ଚେକ୍ ପୋଷ୍ଟ ସ୍ଥାପନ କରାଯାଇ ନିର୍ବାଚନମଣ୍ଡଳୀ ବାହାରୁ ଆସୁଥିବା ଯାନବାହାନ ଉପରେ ତୀକ୍ଷ୍ଣ ନଜର ରଖାଯିବ ।ସାଇଲେନ୍ସ ଆୱାର ମଧ୍ୟରେ ଫେସବୁକ୍‌, ଟ୍ୱିଟର (ଏକ୍ସ), ଇନଷ୍ଟାଗ୍ରାମ, ହ୍ୱାଟସଆପ୍ କିମ୍ବା ୟୁ-ଟ୍ୟୁବ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭୋଟରଙ୍କ ମତାମତକୁ ପ୍ରଭାବିତ କରିବା ଭଳି କୌଣସି ରାଜନୈତିକ ବିଷୟବସ୍ତୁ, ପୋଷ୍ଟ ବା ଫରୱାର୍ଡ ନକରିବାକୁ ପରାମର୍ଶ ଦିଆଯାଇଛି ।ଜନ ପ୍ରତିନିଧି ଆଇନ-୧୯୫୧ର ଧାରା ୧୨୬ ଅନୁଯାୟୀ, ସାଇଲେନ୍ସ ଆୱାରରେ କୌଣସି ପ୍ରକାରର ସାଧାରଣ ସଭା, ଶୋଭାଯାତ୍ରା, ସିନେମା, ଟେଲିଭିଜନ କିମ୍ବା ଅନ୍ୟ କୌଣସି ସମାନ ମାଧ୍ୟମରେ ନିର୍ବାଚନୀ ବିଷୟବସ୍ତୁ ପ୍ରଦର୍ଶନ କରିବା ଉପରେ ସମ୍ପୂର୍ଣ୍ଣ କଟକଣା ରହିବ ।ନିୟମ ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ l