February 26, 2026 8:43 am

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ପ୍ରଥମ ସେମି କଣ୍ଡକ୍ଟର କେନ୍ଦ୍ରର ଶିଳାନ୍ୟାସ

ଭୁବନେଶ୍ୱର: ଆଜି ଭୁବନେଶ୍ବର ଇନଫୋଭ୍ୟାଲିରେ ବୃହତ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ SiCSem ପ୍ରକଳ୍ପର ଭୂମି ପୂଜନ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭିସିରେ ଯୋଗ ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହା ରାଜ୍ୟରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରକଳ୍ପ। SiCSem ପ୍ରାଇଭେଟ୍ ଲିମିଟେଡ୍ ସେମିକଣ୍ଡକ୍ଟର ପ୍ରକଳ୍ପ ଭୁବନେଶ୍ୱରରେ ପ୍ରତିଷ୍ଠା ହେବା ଏକ ବଡ ପଦକ୍ଷେପ। ଏଥିପାଇଁ ୨ ହଜାର ୬୭ କୋଟି ଟଙ୍କା ନିବେଶ କରିବ ସଂସ୍ଥା। ଏହାଦ୍ୱାରା ୫ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମେକ୍ ଇନ୍ ଇଣ୍ଡିଆ” ଏବଂ “ଡିଜିଟାଲ୍ ଇଣ୍ଡିଆ” ର ଦୃଷ୍ଟିକୋଣ ସହିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ।
କେନ୍ଦ୍ର କ୍ୟାବିନେଟ ଅଗଷ୍ଟ୧୨ ରେ ଓଡ଼ିଶା ପାଇଁ ୪୦୦୯ କୋଟି ଟଙ୍କାର ଦୁଇଟି ପ୍ରମୁଖ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟକୁ ଅନୁମୋଦନ କରିଥିଲେ । ଉଭୟ ପ୍ରକଳ୍ପ‌ କମ୍ପାଉଣ୍ଡ ସେମି କଣ୍ଡକ୍ଟର ଫ୍ୟାବ ଓ ଏ.ଟି.ଏମ୍.ପି କେନ୍ଦ୍ର ଇନଫୋଭ୍ୟାଲିରେ ପ୍ରତିଷ୍ଠା କରାଯିବ । ଦୁଇଟି ୟୁନିଟ୍ ସିକ଼୍ସେମ୍ ଏବଂ ୩ଡି ଗ୍ଲାସ୍ ଦ୍ୱାରା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ୧୦୦୦ ପ୍ରତ୍ୟକ୍ଷ ଓ ୪୦୦୦ ପରୋକ୍ଷ ନିଯୁକ୍ତି ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି । ସିଲିକନ୍ କାର୍ବାଇଡ୍ (SiC) ଡିଭାଇସ୍ ଉତ୍ପାଦନ ପାଇଁ ସିକ୍‌ସେମ୍ ଏହି ପ୍ଲାଣ୍ଟ ସ୍ଥାପନ କରିବ, ଯାହାର ବାର୍ଷିକ କ୍ଷମତା ୬୦,୦୦୦ ୱେଫର୍ ଏବଂ ୯୬ ନିୟୁତ ପ୍ୟାକେଜ୍ ୟୁନିଟ୍ ଅଟେ।