February 26, 2026 12:55 pm

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାପୂଜା ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସର ସମୀକ୍ଷା ପାଇଁ ସମିତି ଗଠିତ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ନିଯୁକ୍ତ ବିଭିନ୍ନ ନିଯୋଗମାନଙ୍କ ଦ୍ୱାରା କରାଯାଉଥିବା ସେବାପୂଜ ସମ୍ପର୍କିତ ରେକର୍ଡ ଅଫ୍‌ ରାଇଟ୍ସ (ROR)ର ସମୀକ୍ଷା ପାଇଁ ଗଠନ ହେଲା ଦୁଇ ସଦସ୍ୟବିଶିଷ୍ଟ ସମିତି । ରାଜ୍ୟ ସରକାର, ଓଡ଼ିଶା ଉଚ୍ଚ ନ୍ୟାୟଳୟର ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଡଃ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ଦୁଇ-ସଦସ୍ୟ ବିଶିଷ୍ଟ ସମିତି ଗଠନ କରିଛନ୍ତି । ଏହି ସମିତିର ଗଠନ ସନ୍ଦର୍ଭରେ ବିଧି ବିଭାଗର ପତ୍ର ସଂଖ୍ୟା ୭୭୧୪/ଏଲ୍‌ ତାରିଖ ମେ ୮ ତାରିଖ ୨୦୨୫ ମାଧ୍ୟମରେ ବିଜ୍ଞପ୍ତି ଜାରି କରାଯାଇଛି । ଗତକାଲି ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ସମିତିର କାର୍ଯ୍ୟାଳୟ ସମିତିର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଡଃ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସମିତିର ଅଧକ୍ଷଙ୍କ ସମେତ ସଦସ୍ୟ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଏବଂ ବିଧି ବିଭାଗର, ବିଧି ଚେତକ ତଥା ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଦ୍ୱିତୀୟ ଅତିରିକ୍ତ ବିଧି ଚେତକ ତଥା ଅତିରିକ୍ତ ଶାସନ ସଚିବ, ଅରୁଣ କୁମାର ସାହୁ ଏବଂ ଅତିରିକ୍ତ ଶାସନ ସଚିବ (ନ୍ୟାୟିକ) ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତି ରହି କମିଟିର କାର୍ଯ୍ୟପଦ୍ଧତି ବିଷୟରେ ଆଲୋଚନା କରିଥିଲେ l ଏହି ସମିତି ଲିଙ୍ଗରାଜ ମନ୍ଦିରର ବିଭିନ୍ନ ସେବାପୂଜା, ନିଯୋଗମାନଙ୍କ ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦୈନନ୍ଦିନ ନିୟମିତ ନୀତି ବିଧି ସମ୍ପର୍କିତ ଦଲିଲପତ୍ର ପ୍ରଦାନ କରିବାକୁ ସମିତି ପକ୍ଷରୁ ଅନୁରୋଧ କରାଯାଇଛି ।