December 13, 2025 5:49 pm

ଲୋକସଭାର ବାଚସ୍ପତି ଓ ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ଶିବରାଜ ପାଟିଲଙ୍କ ଆଜି ସକାଳ ସାଢ଼େ ୬ଟା ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ସେ ଘରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମହାରାଷ୍ଟ୍ରର ଲାତୁର ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶିବରାଜ ପାଟିଲ ପୂର୍ବରୁ ଲୋକସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ଏକାଧିକ ବାର କେନ୍ଦ୍ର ମନ୍ତ୍ରୀ ପଦରେ ରହିଥିଲେ। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ସେ ଗୃହମନ୍ତ୍ରୀ ଥିଲେ। ମୁମ୍ବାଇ ଆକ୍ରମଣ ପରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ସେ ୧୯୩୫ ମସିହା ଅକ୍ଟୋବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ଭାରତର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୯୧ ରୁ ୧୯୯୬ ପର୍ଯ୍ୟନ୍ତ ଲୋକସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ସେ ଭାରତର ଲୋକସଭାର ଦଶମ ବାଚସ୍ପତି ଥିଲେ। ସେ ୨୦୧୦ ରୁ ୨୦୧୫ ପର୍ଯ୍ୟନ୍ତ ପଞ୍ଜାବ ରାଜ୍ୟର ରାଜ୍ୟପାଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ର ପ୍ରଶାସକ ଭାବରେ କାର୍ଯ୍ୟ କରିଥିଲେ। ଶିବରାଜ ପାଟିଲ ୧୯୮୦ ଦଶକରେ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ବି କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।