February 26, 2026 3:43 am

ବିଦ୍ୟାଳୟରେ ସାଇନ୍ ବୋର୍ଡ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ର ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ବଡ ଭୁଣ୍ଡୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବିଦ୍ୟାଳୟ ପରିସରରେ ଥିବା ସୂଚନା ଫଳକ ପଡ଼ିଯାଇ ଏପରି ଅଘଟଣ ଘଟିଥିବା ଖବର ମିଳିଛି । ମୃତ୍ୟୁ ବରଣ କରିଥିବା ଛାତ୍ର ଜଣକ ହେଲେ ତିରିଂ ଥାନା ଅନ୍ତର୍ଗତ ବଡ଼ ଭୁଣ୍ଡୁ ଗ୍ରାମର ଶିବ ଚରଣ ଲୋହାରଙ୍କ ପୁଅ ଅଭିର ଲୋହାର(୭)। ଅନ୍ୟ ଦୁଇଜଣ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ଖବର ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୩.୩୦ ସମୟ ତିରିଂ ବ୍ଲକର ସାନଭୁଣ୍ଡୁ ଗ୍ରାମ ପଞ୍ଚାୟତ ଅଂଚଳ ବଡ଼ଭୁଣ୍ଡୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ସୂଚନା ଫଳକ ନିକଟରେ ଛାତ୍ରମାନେ ଖେଳୁଥିଲେ। ସେହି ସମୟରେ ଦୁର୍ବଳ ସିମେଣ୍ଟ ସୂଚନା ଫଳକ ଓଲଟି ଯାଇ ନିକଟରେ ଖେଳୁଥିବା ଛାତ୍ର ମାନଙ୍କ ଉପରେ ଚାପି ହୋଇଯାଇଥିଲା। ଏହା ପରେ ନିକଟରେ ଥିବା ଅନ୍ୟ ଛାତ୍ର ଓ ଶିକ୍ଷକ ମାନେ ଫଳକ ତଳେ ଚାପି ହୋଇ ଥିବା ତିନି ଜଣ ଛାତ୍ର ମାନଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ମଧ୍ୟରେ ଜଣେ ଗୁରୁତର ପ୍ରଥମ ଶ୍ରେଣୀ ଛାତ୍ର ଅଭିର ଲୋହାର(୭ବର୍ଷ) କୁ ଉଦ୍ଧାର କରି ବିଦ୍ୟାଳୟ ଶିକ୍ଷକମାନେ ତିରିଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସକମାନେ ଛାତ୍ର ଅଭିରକୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣ ଛାତ୍ର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସୂଚନା ପରେ ତିରିଂ ଥାନା ପୁଲିସ ସେଠାକୁ ଯାଇ ଛାତ୍ର ର ମୃତଦେହ କୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା କୁ ପଠାଇ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି। ଘଟଣାକୁ ନେଇ ତିରିଂ ଥାନାରେ କେସ ନମ୍ବର ୨୨/୨୦୨୫ ରେ ଏକ ଅସ୍ୱାଭାବିକ ମୃତ୍ୟୁର ମାମଲା ରୁଜୁ ହୋଇଛି। ଆଜି ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।