June 26, 2025 8:47 pm

ସସ୍ମିତ୍ ପାତ୍ରଙ୍କୁ ମିଳିଲା ଶ୍ରେଷ୍ଠ ସାଂସଦ ପୁରସ୍କାର

ଭୁବନେଶ୍ୱର: ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଲେ ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର। । ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର ୨୦୨୩ର ଶ୍ରେଷ୍ଠ ସାଂସଦ ଭାବେ ଉଭୟ ସସ୍ମିତ୍ ଏବଂ କଂଗ୍ରେସ ଲୋକସଭା ସାଂସଦ ଶଶୀ ଥରୁରଙ୍କୁ ମନୋନୀତ କରାଯାଇଛି ।

ସସ୍ମିତ୍ ଏବଂ ଥରୁରଙ୍କ ବ୍ୟତୀତ ଉଭୟ ଲୋକସଭା ଓ ରାଜ୍ୟସଭାର ଅନ୍ୟ ୬ ଜଣ ସାଂସଦଙ୍କୁ ସଂସଦରେ ସେମାନଙ୍କର ଉତ୍ତମ ପ୍ରଦର୍ଶନ ନିମନ୍ତେ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଛି ।

ଲୋକସଭା ସାଂସଦ ତଥା ବହୁଜନ ସମାଜ ପାର୍ଟି ନେତା ଦାନିଶ ଅଲ୍ଲୀ ଏବଂ ରାଜ୍ୟସଭାରୁ ସିପିଆଇ(ଏମ୍) ସାଂସଦ ଜନ୍ ବ୍ରିଟାସ୍ ଙ୍କୁ ବର୍ଷର ଶ୍ରେଷ୍ଠ ନବାଗତ ସାଂସଦ ଭାବେ ମନୋନୀତ କରାଯାଇଛି। ରାଜ୍ୟସଭାରୁ ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)ର ଲୋକସଭା ସାଂସଦ ମେନକା ସଞ୍ଜୟ ଗାନ୍ଧୀଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି।

ଲୋକସଭାର ଶିରୋମଣି ଅକାଳୀ ଦଳର ସାଂସଦ ହରସିମରତ କୌର ବାଦଲ ଏବଂ ବିଜେପିର ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେଙ୍କୁ ସମ୍ପୃକ୍ତ ଗୃହର ଶ୍ରେଷ୍ଠ ମହିଳା ସାଂସଦ ଭାବେ ପୁରସ୍କୃତ କରାଯାଇଛି।

ପ୍ରତିବର୍ଷ ଲୋକସଭାର ୪ ଜଣ ଓ ରାଜ୍ୟସଭାରୁ ୪ ଜଣ ବିଶିଷ୍ଟ ସାଂସଦଙ୍କୁ ଲୋକମତ ସଂସଦୀୟ ପୁରସ୍କାର ପ୍ରଦାନ କରାଯାଏ । ଏହା ହେଉଛି ଏହି ପୁରସ୍କାରର ପଞ୍ଚମ ସଂସ୍କରଣ, ଯେଉଁଥିରେ ଲୋକମତ ସଂସଦୀୟ ପୁରସ୍କାର କମିଟି ଅଧ୍ୟକ୍ଷ ତଥା ଲୋକସଭାର ପୂର୍ବତନ ମହାସଚିବ ସୁଭାଷ କଶ୍ୟପଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଜୁରି ଦ୍ୱାରା ପୁରସ୍କାର ବିଜେତା ଚୟନ କରାଯାଇଥିଲା।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ମଧ୍ୟ ଉପସ୍ଥିତ ଥିଲେ।