December 10, 2025 11:11 pm

ଓଡିଶା ରେ ୪୪,୭୭୧ କୋଟି ଟଙ୍କାର ସଡ଼କ ପ୍ରକଳ୍ପକୁ କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର:ନୂଆଦିଲ୍ଲୀ ଗସ୍ତରେ ଥିବା ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଙ୍ଗଳବାର ଦିନ କେନ୍ଦ୍ର ମନ୍ତ୍ରୀ, ସଡ଼କ ପରିବହନ ଓ ରାଜମାର୍ଗ ଶ୍ରୀ ନିତିନ ଗଡ଼କରିଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ରାଜ୍ୟରେ ଥିବା ବିଭିନ୍ନ ରାସ୍ତା ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି Iଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ୫ଟି ଜାତୀୟ ରାଜପଥ ପ୍ରକଳ୍ପ, ୫ଟି ରାଜ୍ୟ ରାଜପଥ ଓ ସିଆର୍ଆଇଏଫ୍ ପ୍ରକଳ୍ପ ପାଇଁ ମୋଟ ୪୪,୭୭୧ କୋଟି ଟଙ୍କାର ଅନୁମୋଦନ ମିଳିଛି । ଏଥିରେ ଭୁବନେଶ୍ୱର-ପୁରୀ ରାସ୍ତାକୁ ୮ ଲେନ୍ କରିବା, ୧୪୦ କିଲୋମିଟର ଦୀର୍ଘ ଟାଙ୍ଗୀ-ପୁଇଁତୋଳା-ଇଚ୍ଛାପୁରମ୍ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରିବା ପାଇଁ ଅନୁମୋଦନ ମିଳିଛି । ସେହିପରି ୪୦୦ କିଲୋମିଟର ଦୀର୍ଘ ରାଉରକେଲା-ବଡବିଲ୍-ପାରାଦୀପ ଭାୟା ଡୁବୁରି ରାସ୍ତାକୁ ୮ ଲେନ କରିବା ପାଇଁ ଏବଂ ଏନ୍ଏଚ୍-୧୪୯ ଅଧିନରେ ଥିବା ୬୮ କିଲୋମିଟର ଦୀର୍ଘ ପାଲଲହଡ଼ା-ପିଟିରି ରାସ୍ତାକୁ ୪ ଲେନ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି । ଏହା ସହିତ ୫ଟି ରାଜ୍ୟ ରାଜପଥ ପ୍ରକଳ୍ପର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ୧୩,୧୪୧ କୋଟି ଟଙ୍କାର ଅନୁମୋଦନ ମିଳିଛି । ଏଥିରେ ବରପାଲି-ବଲାଙ୍ଗିର ରାସ୍ତା ଓ କେସିଙ୍ଗା – ଭବାନୀପାଟଣା – ଜୁନାଗଡ଼ ରାସ୍ତାକୁ ୪ ଲେନ୍ କରିବା, ୪ ଲେନ୍ବିଶିଷ୍ଟ ବଲାଙ୍ଗିର-ନୟାଗଡ଼ ରାସ୍ତା, ହିଞ୍ଜିଳିକାଟୁ ବାଇପାସ ରାସ୍ତା ସହ ବ୍ରହ୍ମପୁରରୁ କାଳୁଷଣ୍ଢପୁର ରାସ୍ତାକୁ ୪ ଲେନ୍ କରିବା ଏବଂ ମୋହନାରୁ ପାରଳାଖେମୁଣ୍ଡି ରାସ୍ତାର ଉନ୍ନତିକରଣ ସହ ଏନ୍ଏଚ୍-୨୬ର ପ୍ରଶସ୍ତିକରଣକୁ ଅନୁମୋଦନ ମିଳିଛି ।