April 12, 2026 10:16 pm

ରତ୍ନ ଭଣ୍ଡାରର ଗଣତି ମଣତିକୁ ଟାଳୁଛନ୍ତି ସରକାର: ବିଜେଡି

ପୁରୀ: ରତ୍ନ ଭଣ୍ଡାରର ଗଣତି ମଣତି ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ରଖିଛି । ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଗଣତି ମଣତି ହେବ ବୋଲି ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ସରକାର କେବଳ ରାଜନୀତି କରୁଛନ୍ତି, ଗଣତି ମଣତି କରିବା ପାଇଁ ରାଜ୍ୟ ବିଜେପି ସରକାରଙ୍କ ଆନ୍ତରିକତା ନାହିଁ ବୋଲି ବିଜେଡି କହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ନିର୍ବାଚନ ସମୟରେ ବିଜେପି ତରଫରୁ ରତ୍ନ ଭଣ୍ଡାରକୁ ନେଇ ଅନେକ ମିଥ୍ୟା ପ୍ରଚାର କରି ଏହାର ଗଣତି ମଣତି ପାଇଁ ସ୍ୱର ଉଠାଇଥିଲା । ବିଜେପି ତାର ସଙ୍କଳ୍ପ ପତ୍ରରେ କ୍ଷମତାକୁ ଆସିଲେ ଗଣତିମଣତିର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ, କ୍ଷମତାକୁ ଆସିବା ପରେ ଗଣତି ମଣତି ଉପରେ ବିଜେପି ସରକାର ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି । ଗଣତି ମଣତି ଉପରେ ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟରୁ କେବେ ଏହା କରାଯିବ, ସେନେଇ କୌଣସି ସ୍ପଷ୍ଟତା ନାହିଁ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବାରମ୍ୱାର ତାରିଖ ଘୁଞ୍ଚାଇ ଚାଲିଛନ୍ତି । ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମନ୍ତବ୍ୟ ଭିତରେ କୌଣସି ତାଳମେଳ ନାହିଁ । ନିର୍ବାଚନ ସମୟରେ ରତ୍ନ ଭଣ୍ଡାରକୁ ନେଇ ବିଜେପି ଦ୍ୱାରା କରାଯାଇଥିବା ମିଛ ପ୍ରଚାର ସବୁ ଧରାପଡିଯିବା ଭୟରେ ବିଜେପି ସରକାର ଗଣତି ମଣତିକୁ ଜାଣି ଶୁଣି ଘୁଞ୍ଚାଉଛନ୍ତି ବୋଲି ଡ. ମହାନ୍ତି ଅଭିଯୋଗ କରିଛନ୍ତି ।