June 26, 2025 7:10 pm

ଫେବ୍ରୁଆରୀ ୨୭ ରେ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର:  ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ଏଠି ସହ ଓଡ଼ିଶାରୁ ଖାଲି ହେଉଥିବା ୩ ଆସନରେ ମଧ୍ୟ ଫେବ୍ରୁଆରୀ ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୮ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଫେବ୍ରୁଆରୀ ୧୫ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ । ୧୬ ରେ ନାମାଙ୍କନପତ୍ର ଯାଞ୍ଚ ହେବ । ୨୦ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ସେଦିନ ୫ଟାରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ଓଡ଼ିଶାରୁ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ୍ ୩ ରେ ସରୁଛି । ସେହିଭଳି ଆନ୍ଧ୍ରରୁ ୩, ବିହାରରୁ ୬, ଛତିଶଗଡ଼ରୁ ୧, ଗୁଜୁରାଟରୁ ୪, ହରିଆନାରୁ ୧, ହିମାଚଳ ପ୍ରଦେଶରୁ ୧, କର୍ଣ୍ଣାଟକରୁ ୪, ମଧ୍ୟପ୍ରଦେଶରୁ ୫, ମହାରାଷ୍ଟ୍ରରୁ ୬, ତେଲେଙ୍ଗାନାରୁ ୩, ଉତ୍ତର ପ୍ରଦେଶରୁ ୧୦, ଉତ୍ତରାଖଣ୍ଡରୁ ୧, ପଶ୍ଚିମବଙ୍ଗରୁ ୫ ଏବଂ ରାଜସ୍ଥାନରୁ ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

ଓଡ଼ିଶାରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରୁଥିବା ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ବିଜେଡିରୁ ଯାଇଥିଲେ । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେଇଥିଲା । ମାତ୍ର ସଂଖ୍ୟା ଦୃଷ୍ଟିରୁ ତିନୋଟି ଯାକ ଆସନ ବିଜେଡିର । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସମୟରେ ଅଶ୍ୱିନୀ ବୈଷ୍ଣବଙ୍କ ଜାଗାରେ ବିଜେପି ଯଦି ବି ଆଉ କାହାରିକୁ ପ୍ରାର୍ଥୀ କରେ ତେବେ ବିଜେଡି ତାଙ୍କୁ ସମର୍ଥନ ଦେବା ସମ୍ଭବପର ନୁହେଁ । ସୁତରାଂ ଖାଲି ହେଉଥିବା ତିନୋଟି ଯାକ ଆସନରୁ ବିଜେଡି ପ୍ରାର୍ଥୀ ହିଁ ରାଜ୍ୟସଭାକୁ ଯିବେ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହା ମୁଣ୍ଡରେ ରାଜ୍ୟସଭା ମୁକୁଟ ବାନ୍ଧିବେ ତାହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । ଆଶାୟୀଙ୍କ ତାଲିକାରେ ୧୦ ରୁ ୧୫ ନେତାଙ୍କ ନାଁ ଥିବା କୁହାଯାଉଛି । ତେବେ ଏ ନେଇ କୋ÷ଣସି ସ୍ପଷ୍ଟତା ଆସିନାହିଁ ।