February 26, 2026 10:36 pm

ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡିଶା ସମେତ ୧୦ ଟି ରାଜ୍ୟରେ ୩୭ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସବୁ ଆସନଗୁଡିକ ଆସନ୍ତା ଏପ୍ରିଲ ମାସରେ ଖାଲି ହେବ। ଓଡିଶାରେ ୪ ଟି ରାଜ୍ୟସଭା ଆସନ ଖାଲି ହେବାକୁ ଥିବା ବେଳେ ମହାରଷ୍ଟ୍ରରେ ସର୍ବାଧିକ ୭ ଟି ଆସନ, ତାମିଲନାଡୁ ଓ ବିହାରରେ ୬ ଟି ଲେଖାଏଁ ଆସନ, ପଶ୍ଚିମବଙ୍ଗରେ ୫ ଟି ଆସନ, ଆସାମରେ ୩, ତେଲେଙ୍ଗନା, ଛତିଶଗଡ ଓ ହରିୟଣାରେ ୨ ଟି ଲେଖାଏଁ ଆସନ ଏବଂ ହିମାଚଳ ପ୍ରଦେଶରେ ଗୋଟିଏ ଆସନ ଖାଲି ହେବ। ତେବେ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପାଇଁ ନିର୍ବାଚନ କମିଶନର ପ୍ରସ୍ତାବ ମାଗିଛନ୍ତି। ଓଡିଶା ସମେତ ୧୦ ଟି ରାଜ୍ୟର ନିର୍ବାଚନ ଅଧିକାରୀଙ୍କୁ ଏନେଇ ମୁଖ୍ୟ ନିର୍ବାଚନ କମିଶନର ଚିଠି କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଓଡିଶାର ୪ ରାଜ୍ୟସଭା ସାଂସଦ ଯଥା ମମତା ମହନ୍ତ, ସୁଜିତ କୁମାର, ମୁନ୍ନା ଖାଁ ଓ ନିରଞ୍ଜନ ବିଶୀଙ୍କ କାର୍ଯ୍ୟକାଳ ଏପ୍ରିଲ ୨ ତାରିଖରେ ଶେଷ ହେଉଛି। ମମତା ମହନ୍ତ ଓ ସୁଜିତ କୁମାର ବିଜେପିରେ ସାମିଲ ହୋଇଥିବା ବେଳେ ମୁନ୍ନା ଖାଁ ଓ ନିରଞ୍ଜନ ବିଶୀ ବିଜେଡ଼ି ର ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି।